ଭୁବନେଶ୍ବର: ଆଜିଠୁ (ଗୁରୁବାର) ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ଆଜିଠୁ ମେ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଦୁଇବର୍ଷ ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରେ ସୁରକ୍ଷିତ ରଖିବା ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଛି । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍ (ଓଡ଼ିଆ) ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କୋଭିଡ୍ କଟକଣା ମଧ୍ୟରେ ହେବ ପରୀକ୍ଷା ।
ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ, ବିଜ୍ଞାନ ବିଭାଗରେ ୭୮ ହଜାର ୦୭୭ ଜଣ, ବାଣିଜ୍ୟ ବିଭାଗରେ ୨୪ ହଜାର ୧୩୬ ଜଣ ଏବଂ ୫ହଜାର ୮୬୩ ଜଣ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଛି ।
ଏଥିପାଇଁ CHSE କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ମନା । ଏହି କଣ୍ଟ୍ରୋଲ ରୁମ ମେ 31 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଛାତ୍ରଛାତ୍ରୀଙ୍କର ପରୀକ୍ଷା ବାବଦରେ କୌଣସି ସମସ୍ୟା ଥିଲେ, ଦ୍ୱନ୍ଦ୍ବ ଦୂର ପାଇଁ ଟେଲିଫୋନ ମାଧ୍ୟମରେ ଛାତ୍ରୀଛାତ୍ର ଯୋଗାଯୋଗ କରିପାରିବେ । ଏ ନେଇ CHSE ପକ୍ଷରୁ ଟେଲିଫୋନ ନମ୍ବର 0674- 2303803 ନମ୍ବର ଜାରି କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ