ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସୋନପୁରରେ ୩୦୦( project Inauguration in Sonepur ) ଓ (project Inauguration in Boudh) ବୌଦ୍ଧରେ ୪୮୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ବୌଦ୍ଧରେ କୁଲିଂ ପ୍ଲାଣ୍ଟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୋନପୁରରେ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ବାରା ଓଡ଼ିଶାର ଗୌରବକୁ ଦେଶବିଦେଶରେ ପହଞ୍ଚାଇଛନ୍ତି । ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ନବୀନ କହିଛନ୍ତି । ସୋନପୁରରେ MSME ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ତାସାଙ୍ଗକୁ ଜଳସେଚନ ଓ ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି । ଏହାଦ୍ବାରା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ବୌଦ୍ଧ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଛନ୍ତି । ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ । ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ । ଯାହାଦ୍ବାରା ଇକୋ-ଟୁରିଜିମ୍ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ ।
ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁଗ୍ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ସଫଳତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହାଦ୍ବାରା ୧୦ ହଜାର ଚାଷୀ ରୋଜଗାର ପାଇପାରିବେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ