ଭୁବନେଶ୍ବର: କୋଭିଡ-19 ଚିକିତ୍ସା ପାଇଁ ଓଡିଶା ଆଗରେ ରହିଛି । ଆଜି ରାଜ୍ୟ ସରକାର ତୃତୀୟ କୋଭିଡ ହସ୍ପିଟାଲର ଶୁଭାରମ୍ଭ କରିଛନ୍ତି । ସୋଆ କ୍ୟାମ୍ପସ 2ରେ ଏହି ହସ୍ପିଟାଲରେ 500 ବେଡ୍ ରହିଛି । ଏଥିସହିତ 25 ବେଡ୍ ବିଶିଷ୍ଟ ଆଇସିୟୁ ରହିଛି । ସମ୍ ହସ୍ପିଟାଲ ଓ ଏମ୍ସିଏଲ ସହଯୋଗରେ ଏହି ହସ୍ପିଟାଲ ତିଆରି ହୋଇଛି । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଭିଡିଓ କନ୍ଫରେନ୍ସିଂ ଜରିଆରେ ସେମାନଙ୍କ ସହିତ କଥା ହୋଇଥିଲେ । ବିଶ୍ବରେ ଦେଖାଦେଇଥିବା କୋରୋନା ମହାମାରୀ ମୁକାବିଲା ପାଇଁ ସହଯୋଗ କରିବାକୁ ହାତ ବଢାଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ ।
ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଏମ୍ସିଏଲ ସିଏମଡିଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କମ ସମୟ ମଧ୍ୟରେ ହସ୍ପିଟାଲ ପ୍ରତିଷ୍ଠା କରିଥିବାରୁ ସେ ସୋଆ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ଓଡିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଯୋଶୀ ବେଶ୍ ପ୍ରଶଂସା କରିଛନ୍ତି ।
ଆଗାମୀ ଦିନରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହଯୋଗରେ ଅଧିକ ହସ୍ପିଟାଲ ଖୋଲିବାକୁ ଖଣି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । କୋଭିଡ ପ୍ରସ୍ତୁତିରେ ଓଡିଶା ଏକ ଅଗ୍ରଣୀ ଭୂମିକା ନେଇଛି । ଏହାକୁ ମିଶାଇ ଓଡିଶାରେ କୋଭିଡ ହସ୍ପିଟାଲ ବେଡ ସଂଖ୍ୟା 1375ରେ ପହଞ୍ଚିଛି । ଅନ୍ୟ ଦୁଇ ହସ୍ପିଟାଲ କିମସରେ 500, ଅଶ୍ବିନୀ ହସ୍ପିଟାଲ 150 ବେଡ୍ ରହିଛି । ରାଉରକେଲା ହାଇଟେକ ହସ୍ପିଟାଲରେ200 ବେଡ୍ କୋଭିଡ ହସ୍ପିଟାଲ ତିଆରି ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ହସ୍ପିଟାଲ ତିଆରି ହୋଇଛି । ଏହାବାଦ ଓଡିଶା ସରକାର ସମସ୍ତ ପଞ୍ଚାୟତରେ 4 ଲକ୍ଷ ବେଡ୍ ପ୍ରସ୍ତୁତ କରି ରଖିଛନ୍ତି । ଏଥିସହିତ ଅନୁଗୋଳ ଓ କେନ୍ଦ୍ରାପଡାରେ ଦୁଇଟି ହସ୍ପିଟାଲ ସମ ହସ୍ପିଟାଲ କରିବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ