ଭୁବନେଶ୍ବର: ଲଗାତାର ତୃତୀୟ ଦିନ ପାଇଁ ସେସୁ ପକ୍ଷରୁ ବିଦ୍ୟୁତ କାଟ ଜାରି ରହିଛି। ତୃତୀୟ ଦିନରେ ମୋଟ 4 କୋଟି 86 ଲକ୍ଷ ଟଙ୍କା ସଂଗ୍ରହ କରିଛି ସେସୁ । ମୋଟ 1622 ବ୍ୟବସାୟୀ ଓ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି।
ପ୍ରଥମ ତିନି ଦିନରେ ସେସୁ 14 କୋଟି 91 ଲକ୍ଷ ଟଙ୍କା ଆଦାୟ କରିଛି। ମୋଟ 5 ହଜାର 123 ଜଣଙ୍କ ବିଦ୍ୟୁତ ସଂଯୋଗ କଟା ଯାଇଛି ବୋଲି ସେସୁ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଉପଭୋକ୍ତାଙ୍କ ସ୍ଵାର୍ଥ ଦୃଷ୍ଟିରୁ 19 ତାରିଖରେ ରବିବାର ଥିବା ସତ୍ତ୍ବେ ସମସ୍ତ ଅଫିସର ଓ କର୍ମଚାରୀ କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
10 ହଜାର 805 ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଥିଲା ସେସୁର ସ୍ବତନ୍ତ୍ର ଟିମ । ଏମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଦେୟ ଦେଇଥିଲେ। ତେବେ 1622 ଜଣ ଆଦୌ ଶୁଣି ନଥିବାରୁ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା କୁହାଯାଇଛି। ସେହିପରି ବିଲ ସଂଶୋଧନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଶନିବାର 2410 ଜଣ ଉପଭୋକ୍ତା ସେମାନଙ୍କ ବିଲ ସଂଶୋଧନ ପାଇଁ ଆବେଦନ କରିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ