ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାକୁ ଲାଗିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଫୁଲନଖରାର ଭାଗ୍ୟ ନଗର ଅଞ୍ଚଳରେ । ଅପରାହ୍ନ 4ଟା 15 ରୁ 20 ଭିତରେ ଏହି ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଠାରୁ ଦୁର୍ବୃତ୍ତମାନେ ଛଡାଇ ନେଇଛନ୍ତି ସୁନା ହାର। ଏହି ହାରର ଓଜନ 20 ଗ୍ରାମରୁ ଊର୍ଦ୍ଧ୍ବ ବୋଲି ଜାଣାପଡିଛି । ପୀଡିତା ଜଣକ ପୁଷ୍ପବତୀ ମହାପାତ୍ର (62) ବୋଲି ଜଣାପଡିଛି ।
ଏହି ଛିନତାଇର ଲାଇଭ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଯେଉଁଥିରେ ଏକ ବାଇକରେ ଆସିଥିବା ଦୁଇ ଜଣ ଯୁବକ ଉକ୍ତ ମହିଳାଙ୍କୁ ବହୁତ ସମୟ ଧରି ପିଛା କରୁଥିଲେ । ଫାଙ୍କା ସ୍ଥାନ ଦେଖି ତାଙ୍କୁ ଆକ୍ରମଣ କରି ବେକରୁ ସୁନା ହାର ଛିଣ୍ଡାଇ ନେଇଥିଲେ । ଫଳରେ ମହିଳା ଜଣକ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ଜଣାପଡିଛି ।
ତେବେ ଘଟଣାସ୍ଥଳରୁ ସେହି ଦୁଇ ଜଣ ଲୁଟେରା ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଗାଡି ନମ୍ବର ସିସିଟିଭିରେ କଏଦ ହୋଇଛି । ଉକ୍ତ ବାଇକଟି ୟମାହା କମ୍ପାନୀର ଏଫ ଜେଡ ହୋଇଥିବା ବେଳେ ତାର ନମ୍ବର ଓଡି 02 ଭି 4103 ରହିଛି । ଏନେଇ ସେ ନିକଟସ୍ଥ ଥାନାରେ ଏତେଲା ଦେବାକୁ ଯାଉଥିବା ବେଳେ ସାଧାରଣ ଲୋକଙ୍କ ମନରେ ପୋଲିସର ଅପରାଧ ଦମନ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ