ଭୁବନେଶ୍ବର: କେନ୍ଦ୍ରୀୟ ଏଜେନ୍ସି ଇଡି, ସିବିଆଇର ଘନଘନ ଚଢ଼ାଉକୁ ନେଇ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ, ବିହାର, ଦିଲ୍ଲୀରେ ଏହାର ଝଲକ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ମମତାଙ୍କ ମନ୍ତ୍ରୀ ଧରା ପଡ଼ି ଜେଲ୍ ଯାଇଛନ୍ତି । ସେହିଭଳି ବିହାରରେ ମଧ୍ୟ ଆରଜେଡି ନେତା ଇଡି ଜାଲରେ ପଡ଼ିଛନ୍ତି । ସପେଟ ଦିଲ୍ଲୀରେ ମନୀଷ ସିସୋଦିଆଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲେ । (CBI and ED not interested in odisha)ତେବେ ଓଡ଼ିଶା ଉପରେ କେନ୍ଦ୍ରୀୟ ଏଜେନ୍ସିର ନଜର ପଡ଼ୁନଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ଏହାର ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ।
ପଶ୍ଚମବଙ୍ଗରେ ଇଡି ଛାଟ
ପଶ୍ଚିମବଙ୍ଗରେ ମମତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଥିଲା ଇଡି । ପାଖାପାଖି ୪୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଥିଲା । ଏହାପରେ ସବୁବେଳେ ମୋଦିଙ୍କୁ ବିରୋଧ କରୁଥିବା ମମତା ବ୍ୟାକ୍ଫୁଟ୍କୁ ଚାଲି ଆସିଥିଲେ ।
ବିହାରରେ ବି ପଶିଲା ଇଡି
ବିହାରରେ ଦୁର୍ନୀତି ଖବର ପାଇ RJD ନେତାଙ୍କ ଘରେ ପଶିଥିଲା ଇଡି । ସେଠାରେ ଟଙ୍କାର ପାହାଡ଼ ଥିବା ଦେଖିବାକୁ ମିଳିଥିଲା । ଏହାପରେ ସମ୍ପୃକ୍ତ ନେତାଙ୍କୁ ବାନ୍ଧିଥିଲା ଇଡି ।
କେଜ୍ରିୱାଲଙ୍କ ଉପରେ କଡ଼ା ନଜର
ଦିଲ୍ଲୀର ଶିକ୍ଷାମନ୍ତ୍ରୀ ବା କେଜ୍ରିୱାଲ ମନ୍ତ୍ରୀମଣ୍ଡଳ ସଦସ୍ୟ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିଥିଲା । ତେବେ ସେଠାରୁ ସିବିଆଇକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ସିସୋଦିଆଙ୍କ ଘରେ ୧୪ ଘଣ୍ଟା ଧରି ଚଢ଼ାଉ ଜାରି ରହିଥିଲା ।
ଏହି କିଛି ଦିନ ମଧ୍ୟରେ ଇଡି ସିବିଆଇ ଚଢ଼ାଉ ନେଇ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଦୁଇ କେନ୍ଦ୍ରୀୟ ଏଜେନ୍ସିର ନଜର ଓଡ଼ିଶା ଉପରେ କାହିଁକି ପଡ଼ିନି । ଓଡିଶାରେ କଣ କିଛି ଦୁର୍ନୀତି ହୋଇନି ? କାହିଁକି ଓଡ଼ିଶାକୁ ନେଇ ଉଭୟ ଇଡି ଓ ସିବିଆଇ ଚୁପ୍ ବସିଛନ୍ତି ?
ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେ କହିଛନ୍ତି, "ଇଡି ଓଡ଼ିଶାକୁ ଆସିଲେ ଟିକିଏ ବାଉଳାଚାଉଳା ହୋଇଯାଏ । ଓଡ଼ିଶା ଆସିବାକୁ ସିବିଆଇ ବା କେନ୍ଦ୍ରୀୟ ଏଜେନ୍ସି ଏତେଟା ପସନ୍ଦ କରେ ନାହିଁ । ବିଜେପି-ବିଜେଡି ଏକ ଦଳ । ଗୋଟିଏ ସମୟରେ ଉଭୟ ମେଣ୍ଟ ସରକାର କରିଥିଲେ । ରାଜ୍ୟ ସରକାର ସବୁବେଳେ କେନ୍ଦ୍ରକୁ ସମର୍ଥନ ଦେଇ ଆସିଛନ୍ତି । କୌଣସି ରାଜ୍ୟ ସରକାର ବିଜେପିକୁ ଏଭଳି ସମର୍ଥନ ଦେଇ ନହାନ୍ତି ।"
ସେପଟେ ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଓଡ଼ିଶା ଶାସନ ଭାର ନେଲାଭଳି ବିଜେପିର ନେତା ଏଠାରେ କେହି ନାହାନ୍ତି । ମୋଦି ସରକାର ଏଠାରେ ଗୁରୁତ୍ବ ଦେଇ ନାହାନ୍ତି । ଏହାଛଡ଼ା ବିଜେପିକୁ ଏଠାରୁ କୌଣସି ରାଜନୈତିକ ଫାଇଦା ଦେଖା ଯାଉନାହିଁ । ତାହାଛଡ଼ା ଓଡ଼ିଶାରେ ସେଭଳି କିଛି ଆଖି ଦୃଶିଆ ଦୁର୍ନୀତି ହୋଇନାହିଁ । ପୋଲାଭରମ ପ୍ରକଳ୍ପ ଆନ୍ଧ୍ର ହାତକୁ ଟେକି ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି କୋଟିଆରେ ଆନ୍ଧ୍ର ଅଧିକାର ସାବ୍ୟସ୍ତ କରିଛି । ଏହିଭଳି ଭାବରେ କେନ୍ଦ ସରକାର ରାଗ ଶୁଝାଉଛନ୍ତି ।"
ଓଡିଶାରେ କଣ କଣ ଦୁର୍ନୀତି ରହିଛି, ଦୁର୍ନୀତିର ଚେର କେତେ ବାଟ ଲମ୍ବିଛି ଏନେଇ କେହି ମୁହଁ ଖୋଲୁନାହାନ୍ତି । ସେପଟେ କେନ୍ଦ୍ରରେ ବିଜେପି-ବିଜେଡି ମଧ୍ୟରେ ସାଲିସ ହେଉଥିବା ଅଭିଯୋଗ ହୋଇ ଆସିଛି । ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ଓଡ଼ିଶାରେ ଦୁର୍ନୀତି ହେଉଛି, ଖଣି ଦୁର୍ନୀତିକୁ ଚାପି ଦିଆଯାଇଛି । ଏଭଳି ଘଟଣା ବିଚାରଧୀନ ରହିଥିବାରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଇଡି କିଭଳି କାର୍ଯ୍ୟ କରିବ ତାହା ସେମାନଙ୍କ ଉପରେ ନିର୍ଭର କରେ । ଅତୀତ ଯାହା ଘଟିଛି ବା ଘଟୁଛି ଆଗାମୀରେ ଦିନରେ ଇଡି ହସ୍ତକ୍ଷେପ ହୋଇପାରେ ।"
ବିରୋଧୀ କହୁଛନ୍ତି ଓଡ଼ିଶାରେ ବି ଦୁର୍ନୀତି ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ଏଠାରେ ଇଡିର କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ । ଏଭଳି ସ୍ଥଳରେ ରାଜନୈତିକ ମହଲରେ ଚର୍ଚ୍ଚା ଧରିବା ସ୍ବାଭାବିକ । କେବେ ଏଠାରେ କେନ୍ଦ୍ରୀୟ ଏଜେନ୍ସିର ପାଦ ପଡ଼ୁଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଭୁବନେଶ୍ବର