ଭୁବନେଶ୍ବର: ପ୍ରସୂତୀଙ୍କ ଖାଦ୍ୟରୁ ବାହାରୁଛି ବିଷାକ୍ତ ପୋକ । ସୁଷମ ଖାଦ୍ୟ ବଦଳରେ ପ୍ରସୂତୀଙ୍କୁ ଦିଆଯାଉଛି ଅତି ନିମ୍ନ ମାନର ଖାଦ୍ୟ । ତାହା ପୁଣି କ୍ୟାପିଟାଲ ହସ୍ପିଟାଲରେ । ବାରମ୍ବାର ପ୍ରସୂତୀଙ୍କୁ ଏଭଳି ଖାଦ୍ୟ ଦିଆଯାଉଥିବାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହା ସହ ହସ୍ପିଟାଲରେ ‘5ଟି’ ଓ ‘ମୋ ସରକାର’ ଯୋଜନା ଲାଗୁ ହୋଇଛି ସେଠି ପୁଣି ଏଭଳି ଅନିୟମିତାକୁ ନେଇ ତ୍ରୀବ ପ୍ରତିରୋଧ କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ଘଟଣା ଅନୁସାରେ କାକଟପୁର ନୂଆଗଡ ଅଞ୍ଚଳରୁ ଆସିଥିବା ଟୁକୁନା ସାହୁ ନିଜ ପତ୍ନୀଙ୍କ ପ୍ରସୂତୀ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବୁଧବାର ସକାଳେ ହସ୍ପିଟାଲର ରୋଷେଇ କର୍ମଚାରୀ ଡେଲିଭରି ୱାର୍ଡରେ ଖାଦ୍ୟ ଯୋଗାଉଥିବା ସମୟରେ ଏକ ପୋକ ପଡିଥିବାର ଦେଖିବାକୁ ପାଇଥିଲେ । ଆଉ ଏନେଇ ପଚାରିବାରୁ କିଛି ଜାଣିନଥିବା ଜବାବ ଦେଇଥିଲେ ଖାଦ୍ୟ ବାଣ୍ଟୁଥିବା କର୍ମଚାରୀ। ପୋକ ବାହାରିବା ପରେ କୌଣସି ରୋଗୀ ଖାଦ୍ୟ ଗ୍ରହଣ କରିନଥିଲେ । ଯାହାକୁ ନେଇ ହସ୍ପିଟାଲର ଅଧୀକ୍ଷକଙ୍କୁ ସମସ୍ତ ରୋଗୀଙ୍କ ସମ୍ପର୍କୀୟ ଦେଖା କରିବା ସହ ଆଲୋଚନା କରିଛନ୍ତି ।
ଏହାସହ ବାରମ୍ବାର ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦେବା ସହ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ସମ୍ପର୍କୀୟ । ଏନେଇ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ଡା.ନାରାୟଣ ସେଠୀ କହିଛନ୍ତି ଯେ, ଏହି ଘଟଣାକୁ ନେଇ ତଦନ୍ତ କରାଯିବ। କେଉଁଠି ଓ କିଭଳି ଭାବରେ ଖାଦ୍ୟରେ ପୋକ ବାହାରିଲା ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୁନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ