ଭୁବନେଶ୍ବର : ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଅନ୍ତର୍ଦ୍ଦେଶୀୟ ଜଳପଥରେ ପରିଚାଳିତ ସମସ୍ତ ବୋଟ ପଞ୍ଜିକରଣ ଓ ନବୀକରଣ ଅନ୍ଲାଇନ୍ ବ୍ୟବସ୍ଥା ବୋଟ୍ ଇନ୍ଫରମେସନ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ବିମସ)ର ଲୋକାର୍ପଣ କରିଛନ୍ତି । ଖାରବେଳ ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଏହି ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ଯେ, ରାଜ୍ୟର ଅନ୍ତର୍ଦ୍ଦେଶୀୟ ଜଳପଥରେ ନିରାପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ୍ ଲୁଲସ-୨୦୦୪ ପ୍ରଣୟନ କରିଛନ୍ତି ।
ଏହି ଅନୁଯାୟୀ ବର୍ତ୍ତମାନ ମାନୁଆଲ୍ ପଦ୍ଧତିରେ ବୋଟ ପଞ୍ଜିକରଣ କାର୍ଯ୍ୟ ସଂପାଦନ ହେଇଛି । ମାନୁଆଲ୍ ପଦ୍ଧତି ଦ୍ବାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନ୍ଲାଇନ୍ ପଦ୍ଧତି ବିମସ୍ ଦ୍ବାରା ମାଲିକମାନେ ନିଜ ଘରେ ରହି ସେମାନଙ୍କର ବୋଟ ଗୁଡିକର ଫଜୀକରଣ, ନବିକରଣ, ଲାଇସେନ୍ସ ଆଦି ସେବା ସହଜରେ ଅନ୍ଲାଇନ୍ରେ ପାଇପାରିବେ । ବୋଟ ପଞ୍ଜିକରଣ ଓ ନବୀକରଣ ପ୍ରକ୍ରିୟାର ସମସ୍ତ ସୂଚନା ସେମାନେ ନିଜ ମୋବାଇଲରେ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ ଯେ, ରାଜ୍ୟ ସରକାରଙ୍କ ୫-ଟି ପ୍ରକ୍ରିୟା କ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ଏନ୍ଏଆଇସିଙ୍କ ସହଯୋଗରେ ବିକଶିତ କରାଯାଇଛି । ବିମସ୍ ଦ୍ଵାରା ବୋଟର ସମସ୍ତ ତଥ୍ୟ ଗୋଟିଏ ବ୍ୟବସ୍ଥାରେ ଏକତ୍ରିତ କରାଯାଇପାରିବ । ଏହା ଦ୍ୱାରା ଯେକୌଣସି ବୋଟ୍ର ତଥ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ସହଜରେ ପାଇପାରିବେ । ଏହାକୁ ଜିଲ୍ଲା ଅଧିକାରୀମାନେ ବ୍ୟବହାର କରି ବ୍ୟବସ୍ଥାର ଉନ୍ନତି କରିପାରିବେ । ଏହି ଆପ୍ଲିକେସନ୍ ଦ୍ଵାରା ବୋଟର ପଂଜୀକରଣ ଓ ନବୀକରଣର ବୈଧତା ସରିବା ପୂର୍ବରୁ ବୋଟ ମାଲିକମାନଙ୍କୁ ଏସଏମ୍ଏସ୍ ମାଧ୍ୟମରେ ସତର୍କ କରାଯାଇପାରିବ ବୋଲି କହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ