ଭୁବନେଶ୍ବର: ରାଜଧାନୀରେ ମାଳମାଳ ବେଆଇନ ବ୍ୟାନର ଓ ହୋର୍ଡିଂ । ଗୋଟିଏ କି ଦୁଇଟି ନୁହେଁ, ବରଂ ରାଜଧାନୀର ପ୍ରତି ଛକରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ବ୍ୟାନର ଦେଖିବାକୁ ମିଳୁଛି । ଯୁଆଡେ ଚାହିଁବ ସେଠି ନେତାଙ୍କ ବ୍ୟାନର । କେଉଁଠି ବିଧାୟକଙ୍କର ତ ଆଉ କେଉଁଠି ପୂର୍ବତନ କର୍ପୋରେଟରଙ୍କର । ଆଉ କେଉଁଠି ଆଶାୟୀ ପ୍ରାର୍ଥୀଙ୍କର । ଆଉ ଏହାକୁ ଦେଖିଲେ ଲାଗୁଛି ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେମିତି ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି । ହେଲେ ଏହି ବ୍ୟାନର ପ୍ରତି କାହାର ବି ନିଘା ନାହିଁ । ପ୍ରଶାସନ ଆଖି ସାମ୍ନାରେ ଏସବୁ ଲାଗିଥିଲେ ମଧ୍ୟ ସେଥିପ୍ରତି କୌଣସି କାର୍ଯାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।
ତେବେ ଏହି ସବୁ ପୋଷ୍ଟର ଓ ହୋର୍ଡିଂ ଯୋଗୁଁ ବିଏମ୍ସିର ରାଜସ୍ବ ହାନି ହେଉଛି । କାରଣ ଯେଉଁ ହୋର୍ଡିଂକୁ ଟେଣ୍ଡର ପ୍ରକ୍ରିୟାରେ ବିଏମ୍ସି ଦେବା ସହ ସେଥିରୁ ରାଜସ୍ବ ପାଏ ସେଠାରେ ଏବେ ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ଶୋଭା ପାଉଛି । ବେଆଇନ ଭାବରେ ଲାଗିଥିବା ଏହି ବ୍ୟାନରରୁ ବିଏମ୍ସିକୁ କିଛିବି ରାଜସ୍ବ ଆସୁନାହିଁ । ସହର ସାରା ବ୍ୟାନର ଟଙ୍ଗା ଯାଇଥିଲେ ମଧ୍ୟ ସେଥିପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି ପ୍ରଶାସନ । ସହରରେ ଖାଲି ପଡ଼ିଥିବା ବିଏମ୍ସି ହୋର୍ଡିଂରେ ବିଜେଡିର କିଛି ନେତା ବ୍ୟାନର ଟାଙ୍ଗି ଦେଇଛନ୍ତି । ଏପରିକି ବ୍ୟାନରରେ ସ୍ଥାନୀୟ ବିଧାୟକଙ୍କ ଫଟୋକୁ ବି ସ୍ଥାନିତ କରିଛନ୍ତି ।
କଳିଙ୍ଗ ଷ୍ଟାଡିୟମ୍ ଫୁଟ୍ ଓଭର ବ୍ରିଜ୍ରେ ଏକ ବ୍ୟାନର ଲାଗିଛି । ଏହାଦ୍ବାରା ରାସ୍ତାରେ ଯାଉଥିବା ପଥଚାରି ହଟହଟା ହେଉଛନ୍ତି। ବ୍ୟାନରକୁ ଚାହିଁ ଦୁର୍ଘଟଣାର ବି ଶିକାର ହେଉଥିବା ଦେଖିବାକୁ ମିଳିଛି । ତେବେ ନିୟମ ଅନୁଯାୟୀ ବିଏମ୍ସିରୁ ଅନୁମତି ନେବା ପରେ ହିଁ ଯେକେହି ହୋର୍ଡିଂ ଓ ବ୍ୟାନର ଲଗାଇ ପାରିବେ । ମାତ୍ର ସହରରେ ଲାଗିଥିବା ଶୁଭେଚ୍ଛା ବାର୍ତ୍ତାର ହୋର୍ଡିଂ ଓ ବ୍ୟାନର ପାଇଁ କେହି ଅନୁମତି ନ ନେଇ ହୋର୍ଡିଂ ଲଗାଇ ଦେଇଛନ୍ତି । କିଛି ନେତା ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ି ନାହାନ୍ତି । ବିଭିନ୍ନ ଛକରେ ପ୍ରତିଷ୍ଠା ହୋଇଥିବା ପ୍ରତିମୂର୍ତ୍ତି ସମ୍ମୁଖରେ ନେତାଙ୍କ ବ୍ୟାନର ଶୋଭା ପାଉଛି । ବ୍ୟାନର ଆଢ଼ୁଆଳରେ ବରପୁତ୍ର ଲୁଚି ଯାଉଥିଲେ ମଧ୍ୟ ଏଥିପ୍ରତି ସଂସ୍କୃତି ବିଭାଗ କିମ୍ବା ବିଏମ୍ସିର ଦୃଷ୍ଟି ପଡ଼ୁ ନାହିଁ । ଯେଉଁଥିରେ ବିଜେଡି ନେତାଙ୍କ ପୋଷ୍ଟର ଓ ବ୍ୟାନର ସର୍ବାଧିକ ରହିଛି ।
ବିଭିନ୍ନ ରାଜନୈତିକ ଦଳରେ ପଦପଦବୀରେ ଥିବା, ପୂର୍ବତନ କର୍ପୋରେଟର ଏକାଧିକ ୱାର୍ଡରେ ନିଜର ବ୍ୟାନର ଲଗାଇ ପତିଆରା ଜାହିର କରିବାକୁ ପଛାଇ ନାହାନ୍ତି । ନୂଆ କରି ବିଜେଡିରୁ ଟିକେଟ୍ ପାଇବାକୁ ଆଶା ବାନ୍ଧିଥିବା କେତେ ନେତା ବ୍ୟାନର ଓ ହୋର୍ଡିଂ ଲଗାଇଥିବା ମଧ୍ୟ ଦେଖିବାକୁ ମିଳିଛି। ବିଜେପି ଓ କଂଗ୍ରେସର ୱାର୍ଡସ୍ତରୀୟ ନେତାମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋକୁ ବ୍ୟାନରରେ ସ୍ଥାନିତ କରି ସହରର ବିଭିନ୍ନ ଛକରେ ହୋର୍ଡିଂ ଲଗା ଯାଇଛି । ରାଜମହଲ, ଜୟଦେବ ବିହାର, ଶାସ୍ତ୍ରୀ ନଗର ଛକରେ ନେତାଙ୍କ ବ୍ୟାନର ଓ ହୋର୍ଡିଂ ଲାଗିଛି ।
ଅନ୍ୟପଟେ ବିଏମ୍ସି ପକ୍ଷରୁ ଏହି ସବୁ ବ୍ୟାନର ମଧ୍ୟରୁ କେଉଁଟା ଆଇନ ଓ କେଉଁଟା ବେଆଇନ ତାହାକୁ ଚିହ୍ନଟ କରାଯାଉଛି । ଖୁବଶୀଘ୍ର ଲାଗିଥିବା ବ୍ୟାନର ଓ ପୋଷ୍ଟରର ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର । ଏଭଳି ବେଆଇଏନ ହୋର୍ଡିଂ ଯୋଗୁଁ ରାଜସ୍ବ ହାନି ହେଉଥିବା ବେଳେ ଏଥିପ୍ରତି ଖୁବଶିଘ୍ର କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ