ଭୁବନେଶ୍ବର: ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଛି । ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ ବିଧାୟକ ଏଭଳି ଗନଗଢା ଆରୋପ ଲଗାଉଥିବା କହିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ।
ବିଜେପିର ପୂର୍ବତନ ବିଧାୟକ ରବି ନାୟକଙ୍କୁ ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ । ସଞ୍ଜୟ କହିଛନ୍ତି ଯେ, ରାଜ୍ୟ ସରକାର ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛନ୍ତି । କୋଭିଡ୍ ସମୟରେ ଅକ୍ସିଜେନ୍ ଶଯ୍ୟା, ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର ଶଯ୍ୟା ବୃଦ୍ଧି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ସହିତ ଛତିଶଗଡ ଓ ଝାଡଖଣ୍ଡର ଲୋକେ ବି ଆସି ଏଠାରେ ଚିକିତ୍ସିତ ହେଉଥିଲେ । ଓଡିଶାର ସ୍ୱାସ୍ଥ୍ୟସେବାକୁ ପଡୋଶୀ ରାଜ୍ୟର ଲୋକେ ପ୍ରଶଂସା କରୁଛନ୍ତି । ତେଣୁ କେବଳ ରାଜନୀତି ପାଇଁ ବିଜେପି ଏଭଳି ଆରୋପ ଲଗାଉଥିବା ସଞ୍ଜୟ କହିଛନ୍ତି ।
ସଞ୍ଜୟ କହିଛନ୍ତି ଯେ, ନିଜ ଦଳ ଭିତରେ ଚାଲିଥିବା କନ୍ଦଳକୁ ଲୁଚାଇବା ପାଇଁ ଓଡିଶା ବିଜେପି ଏବେ ରାଜ୍ୟ ସରକାରଙ୍କୁ ବଦନାମ କରିବା ନୀତି ଆପଣେଇଛି । ଭୀମ୍ସାରକୁ ସୁପର ସ୍ପେଶିଆଲିଟି ବ୍ୟବସ୍ଥା ସହିତ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି । ଏ କ୍ଷେତ୍ରରେ ସରକାର ଯତ୍ନବାନ ଅଛନ୍ତି । ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ କୋଭିଡର ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରାଯାଇଛି । ରାଜ୍ୟର ଚାହିଦା ମେଣ୍ଟାଇବା ସହିତ ସମଗ୍ର ଦେଶକୁ ଅକ୍ସିଜେନ୍ ଯୋଗାଇ ଓଡିଶା ସରକାର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଓଡିଶାର ଏହି କାର୍ଯ୍ୟକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି । ବିଜେପି ନେତାମାନେ ଏଥିରେ ଅସହିଷ୍ଣୁ ହୋଇ ମନଗଢା ଆରୋପ ଲଗାଉଛନ୍ତି । ତାହାକୁ ଓଡିଶାବାସୀ ଆଦୌ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ