ଭୁବନେଶ୍ବର: ଉଷୁନା ଚାଉଳ ଉଠାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପ୍ରସଙ୍ଗ । ଜୋର ଧରୁଛି ଉଷୁନା ରାଜନୀତି । ଏନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ଚାଷୀ ନା ମିଲର୍, କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛି ବିଜେପି । ସେପଟେ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ସମାଲୋଚନା କରୁଛି ବୋଲି କହିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର ।
ବିଜେପି ସାମ୍ବାଦିକ ସମ୍ମିଳନୀ ନେଇ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ସମାଲୋଚନା ଆଳରେ ବିଜେପି ଏଭଳି କରୁଛି । ଓଡ଼ିଶାରେ କେତେ ଉଷୁନା ଓ କେତେ ଅରୁଆ କେତେ ଚାଉଳ ଉତ୍ପାଦନ ହେଉଛି ତାହା ପ୍ରଥମେ ବିଜେପି ଦେଖୁ । ଗତବର୍ଷ 77 ମେଟ୍ରିକ ଟନ ଧାନରୁ 52 ଲକ୍ଷ ମେଟ୍ରିକ ଟନ ଚାଉଳ କରାଯାଇଥିଲା । ୨୮ ଲକ୍ଷ ଟନ ପଡି ରହିଛି । କିନ୍ତୁ ଉଷୁନା ଚାଉଳ କିଣିବାକୁ ପ୍ରାବଧାନ ନାହିଁ ।
ଉଷୁନା ଚାଉଳ ଅଧିକ ଉତ୍ପାଦନ ହେଉଛି । ଗୋଦାମରୁ ଅଧିକ ଚାଉଳ ପଡି ରହିଲେ ସମସ୍ୟା ହେଉଛି । ଷ୍ଟକ ଉଠିଲେ ଚାଷୀଙ୍କ ଲାଭ ହେବ । ପଞ୍ଚାୟତ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠିର ସମ୍ପର୍କ ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।
ରବିବାର ଧାନ କିଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସିଏମ ନବୀନ । ଆସନ୍ତା ଖରିଫ ଋତୁରେ ଧାନ କିଣା ସମ୍ପର୍କରେ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ବଳକା ଉଷୁନା ଚାଉଳ କେନ୍ଦ୍ର ସରକାର ନେବାକୁ ଚିଠିରେ ଉଲ୍ଲେଖ କରିଥିଲେ ନବୀନ । ସେହିପରି ଧାନ କିଣା ନେଇ ଡିଏଫପିଡିଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ ରହିଥିଲା । ୨୦୨୧-୨୨ରେ ଉତ୍ପାଦନ ହେବ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ। ଏଥିମଧ୍ୟରୁ ୨୮ ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ରହିବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ