ଭୁବନେଶ୍ବର: ପୁଣି ଉଠିଲା ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ । ଦେଶରେ ପାଞ୍ଚ ବର୍ଷକୁ ଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପ୍ରସଙ୍ଗ ଉଠାଇଲା ବିଜେପି । ଏନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏଥିରେ ଗୋଟିଏ ସମୟରେ ନିର୍ବାଚନ କରିବାକୁ ଆଲୋଚନା କରାଯାଇଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହାସହ ଏକକ ନିର୍ବାଚନ ସପକ୍ଷରେ ଜନମତ ସୃଷ୍ଟି କରିବା ଦିଗରେ ବିଜେପି ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି,‘ ଏକକ ନିର୍ବାଚନ ପ୍ରସଙ୍ଗ 2014 ନିର୍ବାଚନରେ ବିଜେପିର ଇସ୍ତାହାରରେ ଥିଲା । ଏକ ସମୟରେ ନିର୍ବାଚନ ହେଲେ କମ ଖର୍ଚ୍ଚ ହେବ ।’
ସେହିପରି ଅନେକ ନିର୍ବାଚନ ହେବା ଫଳରେ ବିକାଶ କାମ ବାଧାପ୍ରାପ୍ତ ହେଉଛି । ପ୍ରତିବର୍ଷ 5ରୁ 7ଟି ନିର୍ବାଚନ ଅନୁଷ୍ଠିତ ହେଉଛି । ସୁରକ୍ଷା ବଳ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପରେ ବୋଝ ପଡୁଛି । ଛାତ୍ରଛାତ୍ରୀ ମାନଙ୍କୁ ଏହା ମଧ୍ୟ ପ୍ରଭାବିତ କରୁଛି । ଏଥିପାଇଁ ଏକକ ନିର୍ବାଚନ ହେଲେ ଏହା ରୋକାଯାଇପାରିବ ବୋଲି ସେ କହିଛନ୍ତି ।
ସେହିପରି ଇତିହାସର ଉଦାହରଣ ଦେଇ ସେ କହିଛନ୍ତି,‘ଆମ ଦେଶରେ 1951-52 ରୁ 1967 ମଧ୍ୟରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ସମ୍ବିଧାନ ଧାରା 356ର ଦୁରୁପଯୋଗ କରି ନିର୍ବାଚିତ ସରକାରଙ୍କୁ ଭାଙ୍ଗି ଦିଆଯିବାରୁ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇପାରିନଥିଲା ।’
ଅନ୍ୟପଟେ 1983 ରେ ନିର୍ବାଚନ କମିଶନ ଏକକ ନିର୍ବାଚନ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ । 2015 ରେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି (Personnel, Public Grievance, Law & Justice E.M. Sudarsan Natchiappan) ଙ୍କ ନେତୃତ୍ବରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ କରିବା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ ।
ଏହାପରେ ନିତି ଆୟୋଗ 2017ରେ ଏକକ ନିର୍ବାଚନ ପାଇଁ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । 2019 ଓ 2024 ନିର୍ବାଚନରେ ଏହି ପ୍ରସ୍ତାବ ଉପରେ 21ତମ 'ବି' କମିଶନ ବିଚାରପତି B. S. Chauhan(Retd.)ଙ୍କ ନେତୃତ୍ବରେ ଏକ ରିପୋର୍ଟ 2018 ଅଗଷ୍ଟ ମାସରେ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକକ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରି ଏହା ଉପରେ ବିଚାର ବିମର୍ଶ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।
ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇବା ସଙ୍ଗେ ସଙ୍ଗେ ସରକାରୀ ତହବିଲ୍ ଉପରେ ଆର୍ଥିକ ବୋଝ ହ୍ରାସ ପାଇବ । ପ୍ରଶାସନିକ ବ୍ୟବସ୍ଥା ଉପରେ ବୋଝ କମ୍ ପଡ଼ିବ । ଜାତୀୟ ଆର୍ଥିକ ଅଭିବୃଦ୍ଧି (GDP) କ୍ଷତି କିଛି ମାତ୍ରାରେ ରୋକାଯାଇ ପାରିବ । ମାନବ ସମ୍ବଳ, ଶକ୍ତି, ସମୟ ଓ ଆର୍ଥିକ ସମ୍ବଳର ସଂରକ୍ଷଣ ହୋଇପାରିବ ବୋଲି ମଧ୍ୟ ଏହି ଅବସରରେ ଅପରାଜିତା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ