ଭୁବନେଶ୍ବର: ଦେବଗଡ ବିଧାୟକ ଗିରଫ ଘଟଣାକୁ ନେଇ ବିଜେପି ବିଧାୟିକା କୁସୁମ ଟେଟେଙ୍କ ସାଂଘାତିକ ଅଭିଯୋଗ । ପୋଲିସ ଏବେ ବିଜୁ ଜନତା ଦଳର କର୍ମୀ, ବିଡିଓ ମାନେ ବ୍ଲକ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
କୁସୁମ କହିଛନ୍ତି ଯେ, ରାଜ୍ୟରେ ପୋଲିସ ଆଉ ପୋଲିସ ହୋଇ ରହିନାହିଁ । ଓଡିଶାରେ ଆଉ ଗଣତନ୍ତ୍ରର ଶାସନ ନାହିଁ । ପୋଲିସ ଏବେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛି । ବିଡିଓ ମାନେ ବ୍ଲକ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ଲାଗି ଲୋକ ପ୍ରତିନିଧି ପ୍ରଶାସନର ଦୃଷ୍ଟି ଆକର୍ଷଣ କରେ । ଲୋକ ପ୍ରତିନିଧି ଯଦି ପ୍ରଶାସକଙ୍କ ସହ ଯୋଗାଯୋଗ କରିବ, ସମୟ ନାହିଁ ବୋଲି ଯଦି ସେମାନେ କହିବେ, ତେବେ ଆମେ କାହାକୁ କହିବୁ ।
ଆତଙ୍କବାଦୀଙ୍କ ପରି ବିଧାୟକଙ୍କୁ ଗିରଫ କରାଯାଇଛି । ବିଧାୟକ ଅଭିଯୋଗ କରିବାର 4 ଘଣ୍ଟା ପରେ ଏତଲାର କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଘଟଣାକୁ ନେଇ ଆମେ 4 ବିଧାୟକ ଥାନାରେ ପହଁଚିଥିଲୁ, ଆମକୁ ସମ୍ମାନ ଦେଲାନାହିଁ ପୋଲିସ । ବିଭିନ୍ନ ସ୍ଥାନରେ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୁଏ । ଲୋକଙ୍କ ସମସ୍ୟାକୁ ନେଇ କଣ ଲୋକ ପ୍ରତିନିଧି ଅଧିକାରୀଙ୍କୁ ତାଗିଦ କରିପାରିବେ ନାହିଁ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ରାଜନୀତି କିଏ କରୁଛି ତାହା ସମସ୍ତେ ଜାଣିଛନ୍ତି ।
ଶାସକ ଦଳ ସରକାରୀ କଳ ଗତ ନିର୍ବାଚନରେ ବ୍ୟବହାର କଲା । ଅଧିକାରୀଙ୍କୁ ଲଗେଇ ବିରୋଧୀ ଦଳକୁ ହଇରାଣ କଲେ । ଏଭଳି ଲୋକ ପ୍ରତିନିଧିଙ୍କ ସହ ହେବା ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ