ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଆଜି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି। ପରୀ ହତ୍ୟାକାଣ୍ଡକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିରେ ସେ ବିଜେପିକୁ କଠୋର ବାଣୀ ଶୁଣାଇଛନ୍ତି । ଏସଆଇଟି ତଦନ୍ତ କରି ପରୀ ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ବିଜେପି ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲା।
ସାମ୍ବାଦିକ ସମ୍ମିଳନୀରେ ନରସିଂହ ମିଶ୍ର କହିଛନ୍ତି ଯେ, "ପରୀ ହତ୍ୟାକାଣ୍ଡକୁ ନେଇ ଆମେ ରାଜନୀତି କରିବାକୁ ଚାହୁଁନାହୁଁ। ଏହାକୁ ନେଇ ବିଜେପି ରାଜନୀତି କରିବାକୁ ଲାଗିଛି। ତଦନ୍ତ କରି ଏସଆଇଟି ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିଜେପି ଏହା ମାନିବାକୁ ନାରାଜ ରହିଛି। ଏହାର ଅର୍ଥ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବିଷୟରେ ବିଜେପି ଜାଣିଛି। ତେବେ ଉପଯୁକ୍ତ ପ୍ରମାଣ ସହ ଅଭିଯୁକ୍ତଙ୍କୁ ବିଜେପି ପଦାରେ ପକାଇବା କଥା। ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ରହିଥିବା ନେଇ ବାରମ୍ବାର ଏସଆଇଟି କହୁଥିବାବେଳେ ବିଜେପି ଏହାକୁ ନେଇ ରାଜନୀତି କରିବାରେ ବ୍ୟସ୍ତ।"
ଘଟଣାକୁ ନେଇ ଜଣେ ସ୍ଥାନୀୟ ମନ୍ତ୍ରୀ ଫୋନରେ କାହା କଥା ହେଉଥିଲେ। ଏହାର ଅଡିଓ ଭାଇରାଲ ହେବାକୁ ଲାଗିଛି। ଏହାକୁ ନେଇ ଏସଆଇଟି ତଦନ୍ତ କରିବା ଆବଶ୍ୟକ। ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ତଦନ୍ତ ଦାବି କରିଛି କଂଗ୍ରେସ। ୨୪ ତାରିଖ ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ ପରେ ଜଣାପଡିବ ଏହି ତଦନ୍ତ କେତେ ଠିକ। ଯିଏ ଅଭିଯୁକ୍ତ ସେ କୋର୍ଟ ଆଗର ନିଜ ଦୋଷ ସ୍ବୀକାର କରୁ । ଚାଷୀ ଆନ୍ଦୋଳନକୁ ଦବାଇ ଦେବାକୁ ବିଜେପି ହୀନ ରାଜନୀତି କରୁଥିବା ନେଇ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ପ୍ରସଙ୍ଗ ନ ପାଇ ମୁଖ୍ୟମନ୍ତ୍ରୀ ଓ ଅରୁଣ ସାହୁଙ୍କ ପଛରେ ପଡିବା ଲଜ୍ଜା ଜନକ ।
୫ ହଜାରରୁ ଅଧିକ ଶିଶୁ ନିଖୋଜ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ହେଲେ ବିଜେପି କାହିଁକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।
ଆଜି(ସୋମବାର) ଏସଆଇଟି ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅଭିଯୁ୍କ୍ତଙ୍କ ପରିଚୟ ଅସ୍ପଷ୍ଟ ରହିଛି। କୋର୍ଟରେ ହାଜର ହେବା ପରେ ଏନେଇ ଅଧିକ ତଥ୍ୟ ଦିଆଯିବ ବୋଲି ଏସଆଇଟି ମୁଖ୍ୟ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ