ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ନବୀନ ସରକାରଙ୍କ ପଞ୍ଚମ ପାଳିକୁ ୩ବର୍ଷ ପୁରଣ ହେବାକୁ ଯାଉଛି । ତେବେ ଯଦି ମନ୍ତ୍ରୀମଣ୍ଡଳ ଅଦଳବଦଳ ହୁଏ, କିଏ ରହିବେ କିଏ ବାଦ୍ ପଡିବେ ସେନେଇ ଅଙ୍କକଷା ଚାଲିଛି । କିଏ ପଡିବେ ବାଦ୍, କିଏ ପାଇବେ ପ୍ରମୋସନ ସେନେଇ ଆଶା ଆଉ ଆଶଙ୍କାରେ ରହିଛନ୍ତି ଦଳୀୟ ନେତା ଆଉ ବିଧାୟକ ।
ଯୁବ ଓ ମହିଳାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଯେଉଁ ଜିଲ୍ଲାରେ ମନ୍ତ୍ରୀପଦ ନାହିଁ ସେ ଜିଲ୍ଲାରେ ନୂଆ ମନ୍ତ୍ରୀ କରିପାରନ୍ତି ନବୀନ । ପୁଣି ବିବାଦରେ ଥିବା ମନ୍ତ୍ରୀମାନେ ମନ୍ତ୍ରୀପଦ ହରାଇ ପାରନ୍ତି କିମ୍ବା ବିଭାଗ ବଦଳପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ଅରୁଣ ସାହୁ ଏବଂ ଅନ୍ୟ କିଛି ବିବାଦ ଘେରରେ ରହିଛନ୍ତି ।
ପୌର ଏବଂ ପଞ୍ଚାୟତ ନିର୍ବାଚନରେ ଯେଉଁମାନେ ଆଶାତୀତ ଫଳାଫଳ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ବାଦ୍ ଦିଆଯିବା ନେଇ ଆଲୋଚନା ଜୋର ଧରିଛି । ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସେ କାହାକୁ ରଖିବେ କାହାକୁ କାଢ଼ିବେ, ବିଜେଡି ସଭାପତି ହିଁ ଏସବୁ ନିଷ୍ପତ୍ତି ନେବେ । ଏହାକୁ ନେଇ କିଛି କହିହେବ ନାହିଁ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ