ଭୁବନେଶ୍ବର: ବ୍ରଜରାଜନଗର ବ୍ୟାଟେଲ ବିଜୟ ଲାଗି ବ୍ଲ୍ୟୁ ପ୍ରିଣ୍ଟ କରିଛି ବିଜୁ ଜନତା ଦଳ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳିକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି ବିଜେଡି । ଏଥିପାଇଁ ବିଭିନ୍ନ ଟିମ ଗଠନ କରି ମଇଦାନ ଜଗିବାକୁ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛି ଶାସକ ଦଳ । ବିରୋଧୀଙ୍କୁ ଚକମା ଦେବା ପାଇଁ ପୁରା ନିର୍ବାଚନ ମଣ୍ଡଳୀରେ ନେତା ଛାଇ ଯିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।
ଆଉ ଏକ ଉପ ନିର୍ବାଚନ ଦଖଲ କରିବା ଲାଗି ଅଣ୍ଟା ଭିଡିଛି ଶାସକ ଦଳ । ବ୍ରଜରାଜନଗର ବିଜୟର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । କେବଳ ବିଜୟରେ ସନ୍ତୁଷ୍ଟ ନୁହେଁ ବିଜୟ ବ୍ୟବଧାନ ବଡ ରଖିବା ଲାଗି ଶାସକ ଦଳ କରିଛି ରଣନୀତି । ବ୍ରଜରାଜନଗରରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଥିବ ଗୁଇନ୍ଦା ରିପୋର୍ଟ ପାଇଛି ଦଳ । ତେଣୁ ସର୍ବନିମ୍ନ 20 ହଜାରରୁ ସର୍ବାଧିକ 50 ହଜାର ବିଜୟ ବ୍ୟବଧାନ କରି ହେବେ ସେ ନେଇ ଯୋଜନା କରିଛନ୍ତି ହାଇକମାଣ୍ଡ । ବ୍ରଜରାଜନଗର ଦଖଲ ଲାଗି ବଛାବଛା ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ 8 ମନ୍ତ୍ରୀ ଓ 40 ବିଧାୟକଙ୍କୁ ନେଇ ଟିମ ପ୍ରସ୍ତୁତ କରିଛି ଦଳ । ବରିଷ୍ଠ, ଯୁବ ଓ ଅନୁଭବୀ ନେତାଙ୍କୁ ଦାଇତ୍ବ ଦିଆଯାଇଛି । ନିର୍ବାଚନ ମଣ୍ଡଳୀରେ ଆଞ୍ଚଳିକ ବାଦର ଛିଟା ରହୁଥିବାରୁ ପଶ୍ଚିମ ଓଡିଶାର ନେତା ଓ ନେତ୍ରୀଙ୍କୁ ଗୁରୁତ୍ବ ଦିଆଯାଇଛି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ 4 ନେତାଙ୍କୁ କୋର କମିଟି ଦାୟିତ୍ବ ଦିଆଯାଇଛି । କୋର କମିଟିରେ ପଶ୍ଚିମ ଓଡିଶାର ଦୁଇ ଟାଣୁଆ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କ ସହ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ମନ୍ତ୍ରୀ ଅରୁଣ ସାହୁଙ୍କୁ ନିର୍ବାଚନୀ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ।
ସେହିପରି ପୁରା ନିର୍ବାଚନମଣ୍ଡଳୀର ଦାୟିତ୍ବରେ ରହିଛନ୍ତି ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ପର୍ଯ୍ୟବେକ୍ଷକ ଭାବେ କଟକ ମେୟର ସୁବାସ ସିଂ, ଓ ସହ-ପର୍ଯ୍ୟବେକ୍ଷକ ଭାବେ ବିଷ୍ଣୁପ୍ରସାଦ କେଡିଆଙ୍କୁ ଦାୟିତ୍ବ ଦିଆଯାଇଛି । ଏହା ସହ ନିର୍ବାଚନ ମଣ୍ଡଳୀକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି । ଝାରସୁଗୁଡା ଜୋନ- 1 ରେ ଥିବା 5ଟି ଗ୍ରାମପଞ୍ଚାୟତ ଲାଗି 3 ନେତାଙ୍କୁ ଦାୟିତ୍ବ ଦେଇଛି ଦଳ । ରାଜପୁର ଓ ଲୋଇସିଙ୍ଗା ପଞ୍ଚାୟତ ଲାଗି ସାଂସଦ ସୁଜିତ କୁମାରଙ୍କୁ ନିୟୋଜିତ କରିଛି ଦଳ । ନଳିନୀ ପ୍ରଧାନଙ୍କୁ ଗୌଡମାଳ ଓ ଚାନ୍ଦିନୀମାଳ ଗ୍ରାମପଞ୍ଚାୟତର ଦାୟିତ୍ବ ଦିଆଯାଇଛି ।
ସେହିଭଳି ବ୍ରଜରାଜନଗର ମ୍ୟୁନ୍ସିପାଲିଟି ଲାଗି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ଦେବେଶ ଆଚାର୍ଯ୍ୟ, ବିଶ୍ବନାଥ ନାୟକ, ଜୟନ୍ତ ଦୀକ୍ଷିତ ଦାୟିତ୍ବରେ ରହିବେ । ବେଲପାହାଡ ମ୍ୟୁନ୍ସିପାଲିଟି ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟ 5 ଜଣ ନେତାଙ୍କୁ ଦାଇତ୍ବ ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଚନ୍ଦ୍ର ସାରଥୀ ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି ।
ବିଧାୟକ ଚନ୍ଦ୍ର ସାରଥୀଙ୍କୁ କଣ୍ଢେଇକେଲା ଓ ରେମତା ଗ୍ରାମପଞ୍ଚାୟତ, ବିଧାୟକ ପ୍ରିତିରଂଜନ ଘଢେଇଙ୍କୁ ଚାରପାଲି ଓ ପିଥିଣ୍ଡା, ବିଧାୟକ ରଜେନ୍ଦ୍ର ଢୋଲକିଆଙ୍କୁ କନକତୋରା ଓ ବାଦିମାଲ, ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଅତାବିରା ଓ ଭିକମପାଲି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଞ୍ଚଗାଁ ଓ ପଲସଦା, ବିଧାୟକ ରୋହିତ ପୂଜାରୀଙ୍କୁ ମଚିଦା ଓ କତରବଗା ଗ୍ରାମପଞ୍ଚାୟତର ଦାୟିତ୍ବ ଦିଆଯାଇଛି । ବ୍ରଜରାଜନଗର ଉପନିର୍ବାଚନ ଦଖଲ କରିବା ପାଇଁ ମନ୍ତ୍ରୀ ବିଧାୟକ ଓ ବରିଷ୍ଠ ନେତାଙ୍କ ଛଡା ଯୁବ ଓ ଛାତ୍ର ବ୍ରିଗେଡକୁ ନିୟୋଜିତ କରିଛି ବିଜେଡି ।
ନିର୍ବାଚନ ମଣ୍ଡଳିକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି ଶାସକ ଦଳ । ବିରୋଧୀଙ୍କୁ ଚକମା ଦେବା ପାଇଁ ପୁରା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତା ଛାଇ ଯାଇଛନ୍ତି । ଏହା ସହ କୌଣସି ପ୍ରକାର ବିବାଦୀୟ ମନ୍ତବ୍ୟ ଦେବାରୁ ନିବୃତ ରହିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ