ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବିସ୍ତାର ପରେ ଶପଥ ନେଇଥିବା ନୂଆ ମନ୍ତ୍ରୀଙ୍କୁ ହୋଇଛି ବିଭାଗ ବଣ୍ଟନ । ଓଡିଶାର ମୟୂରଭଞ୍ଜ ଜିଲ୍ଲାରୁ ସାଂସଦ ଥିବା ବିଶେଶ୍ବର ଟୁଡୁଙ୍କ ଭାଗରେ ପଡିଛି ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦ ।
ଦେଶର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ବିଶେଶ୍ବର ଟୁଡୁ । ଏହାସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ବିଶେଶ୍ବର ।
ଆଦିବାସୀ ନେତା ଭାବରେ ଓଡିଶାରେ ରହିଛି ବିଶେଶ୍ବର ଟୁଡୁଙ୍କ ସ୍ବତନ୍ତ୍ର ସ୍ଥାନ । 2019 ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ବିଶେଶ୍ବର ।
56 ବର୍ଷୀୟ ସାଂସଦ ବିଶେଶ୍ବର ଟୁଡୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ହାସଲ କରିଛନ୍ତି ଡିପ୍ଲୋମା ଡିଗ୍ରୀ । ନିଜ ରାଜନୈତିକ କ୍ୟାରିଅର ଆରମ୍ଭ ପର୍ବରୁ ଟୁଡୁ ସାମାଜିକ ସଂଗଠନ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS)ର ଶାଖା ବିଦ୍ୟାଭାରତୀ ସହ ଜଡିତ ଥିଲେ ।
ଟୁଡୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ଏହି ସରକାର ଓଡିଶା ତଥା ଦେଶର ଆଦିବାସୀଙ୍କ ବିକାଶ ଚାହୁଁଥିବା ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।