ଭୁବନେଶ୍ବର: କୋଲକାତା ବିମାନ ବନ୍ଦରରେ ପଡି ରହି ନଷ୍ଟ ହେଉଥିବା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ଓଡିଶା ଫେରାଇ ଅଣାଯିବ। ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ପ୍ରେମାନନ୍ଦ ଖୁଣ୍ଟିଆ ।
ବିଜୁ ବାବୁଙ୍କ ଡାକୋଟା ବିମାନ ସହ ଯୋଡି ହୋଇ ରହିଛି ଓଡିଶାର ଇତିହାସ ଓ ବିଜୁ ପଟ୍ଟନାୟକଙ୍କ ଜୀବନର କାହାଣୀ । ନିକଟରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । 70 ବର୍ଷର ଏହି ‘ଡାକୋଟା’ ସହ ପ୍ରବାଦ ପୁରୁଷ ବିଜୁଙ୍କର ଅତୀତର ସ୍ମତି ଓତଃପ୍ରୋତ ଭାବେ ଜଡିତ । ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସର 14 ଟି ବିମାନରୁ ଡାକୋଟା ଥିଲା ତାଙ୍କର ସବୁଠୁ ପ୍ରିୟ । ଏହି ବିମାନ ଏବେ କୋଲକୋତା ବିମାନ ବନ୍ଦରରେ ପଡି ରହିଛି ।
ତେବେ ଡାକୋଟା ବିମାନର ବିଭିନ୍ନ ଅଂଶକୁ ଖୋଲି ଓଡିଶା ଅଣାଯିବା ପରେ ପୁଣି ତାକୁ ଖଞ୍ଜା ଯାଇ ସର୍ବ ସାଧାରଣଙ୍କ ଦେଖିବା ପାଇଁ ରଖାଯିବ । ଏହାକୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ସମ୍ମୁଖରେ ପ୍ରଦର୍ଶନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସଂସ୍କୃତି ବିଭାଗ ପକ୍ଷରୁ ଏନେଇ 10 କୋଟି ଟଙ୍କା ବରାଦ କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ