ଭୁବନେଶ୍ବର: ସରିଲା ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ନିର୍ଦ୍ଧାରିତ ସମୟର 4 ଦିନ ପୂର୍ବରୁ ସର୍ବସମ୍ମତି କ୍ରମେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଏହି ଅଧିବେଶନର ଅଭିଜ୍ଞତା ବଖାଣିଛନ୍ତି ଶାସକ ଓ ବିରୋଧୀ ବିଧାୟକ । ଆଉ ଏହାରି ମଧ୍ୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମାରିଛନ୍ତି ତେରଛା ତୀର ।
ବହୁତ କିଛି ଶିଖିବାକୁ ମିଳିଲା । ପ୍ରଥମ ଅଧିବେଶନରୁ ବେଶ ଅଭିଜ୍ଞତା ମିଳିଛି । ଆମେ ବିରୋଧୀ ଦଳର ଭୂମିକା ଠିକ ଭାବରେ ନିର୍ବାହ କରିଛୁ । ହେଲେ ଗୃହରେ କିଛି ବିଧାୟକଙ୍କ ଶାଳୀନତାର ଅଭାବ ରହୁଛି ବୋଲି କହିଛନ୍ତି ବିଷ୍ଣୁ । ଏପରିକି ଅଯଥା ପ୍ରସଙ୍ଗରେ ମଧ୍ୟ କେହିକେହି ଗୃହକୁ ଚଳାଇ ଦେଉନଥିବା ସେ କହିଛନ୍ତି । ଆଉ ଏନେଇ ସମାଲୋଚନା ବି କରିଛନ୍ତି ।
ଯଦିଓ ବିଷ୍ଣୁ କାହା ନାଁ ନେଇ ନାହାଁନ୍ତି, ତଥାପି ମଧ୍ୟ ବିଶେଷକରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତୀଙ୍କ ଆଡକୁ ଇଙ୍ଗିତ କଲାପରି ମନେହେଉଛି । କାହାଁକି ନା ଅନ୍ୟ ଅଧିବେଶନ ପରି ଏଥର ବି ବେଶ ଚର୍ଚ୍ଚାରେ ଥିଲେ ତାରା । ତାହା ବାଚସ୍ପତିଙ୍କ ପୋଡିୟମକୁ ଚଢି ତାର ଟାଣିବା ହେଉ ବା ଗୃହରେ ବିଭିନ୍ନ ପ୍ରସଙ୍ଗରେ ହୋ ହାଲ୍ଲା କରିବା । ସବୁବେଳେ ବିରୋଧ କଥା ଆସିଲେ ଧାଡିର ଆଗରେ ରହୁଥିଲେ ତାରା । ନିଜ ଜିଦରେ ଅଟଳ ରହିଥାନ୍ତି ସେ । ଥରେ ପ୍ରସଙ୍ଗ ଉଠାଇଲେ ମାନେ ଗୃହ ଦୁଲୁକିବ ନିଶ୍ଚୟ । ଗୃହକୁ ମୁଲତବୀ କରିବାକୁ ବାଚସ୍ପତି ବାଧ୍ୟ ହୋଇଥାନ୍ତି । ବୋଧେ ବିଶେଷକରି ତାରାପ୍ରସାଦ ବାହିନୀପତିଙ୍କ ଆଡକୁ ହିଁ ଇଙ୍ଗିତ କରି ବିଷ୍ଣୁ ଏପ୍ରକାର କହିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ