ଭୁବନେଶ୍ବର: ପୁଣି ଜୋର ଧରିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ଦାବି । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଛନ୍ତି ବରିଷ୍ଠ ନେତା ଦାମଦୋର ରାଉତ । ବିଜେଡି-ବିଜେପି ମଧ୍ୟରେ ସମ୍ପର୍କ ସୁଦୃଢ ହେଉଥିବା ବେଳେ ଏହାର ସଦୂପଯୋଗ କରିବାକୁ ଦାମ କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଦାମ କହିଛନ୍ତି,ବର୍ତ୍ତମାନ ବିଜେପି ଓ ବିଜେଡି ମଧ୍ୟରେ ସମ୍ପର୍କ ବଢିଛି । ଏହାର ସଦୂପଯୋଗ କରାଯାଇ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପାଇଁ ବିଜେଡି ଦାବି କରୁ । ସୂଚନା ଅନୁସାରେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ଓଡିଶା ସରକାର ଓ ବିଜେଡିର ସାଂସଦ ମାନଙ୍କୁ ପ୍ରଶଂସା କରିଥିଲେ ।
କେନ୍ଦ୍ର ରାଜ୍ୟର ସହଯୋଗିତା ଓ ସହନଶୀଳତାକୁ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ ମୋଦି । ଅପରପକ୍ଷେ ବିଜେଡିର ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଏଭଳି ଅନୁକୂଳ ପରିସ୍ଥିତିରେ ଓଡିଶାର ସାଂସଦ ମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ସ୍ବଗତ ବିଜୁ ପଟ୍ଟନାୟକଙ୍କୁ ‘ଭାରତରତ୍ନ’ ଦେବା ପାଇଁ ଦାବି ଉପସ୍ଥାନ କରନ୍ତୁ । ଦାମ ଆହୁରି କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ଅର୍ଥ ଓଡିଆ ମାନଙ୍କୁ ସମ୍ମାନିତ କରିବା । ଅନ୍ୟ ମାନଙ୍କ ପରି ବିଜୁ ବାବୁଙ୍କୁ ଅବଦାନ ଅନେକ ରହିଛି । ତାଙ୍କୁ ଭାରତ ରତ୍ନ ଦେବା ଦାବି ଜୋରଦାର ହେବା ଉଚିତ୍ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ