ଭୁବନେଶ୍ୱର : ଋତୁ ଚକ୍ରକୁ ନେଇ ଜୀବନ ଚକ୍ର ପରିଚାଳନା କରିବା ହିଁ ଆମ ସଂସ୍କୃତିର ଆଧାର । ଏହି କ୍ରମରେ ସମଗ୍ର ମାନବ ସମାଜ ଭାବ, ପ୍ରେମ ଓ ସୃଷ୍ଟିର ଆମନ୍ତ୍ରଣକାରୀ ବର୍ଷା ଋତୁକୁ ସ୍ୱାଗତ କରେ । ଆକାଶ ଏବଂ ପୃଥିବୀର ଏହି ଅନନ୍ୟ ମିଳନ ଉତ୍ସବ ହେଉଛି ରଜ। ସେହି ରଜ ପର୍ବକୁ ନେଇ ଉତ୍ସବମୁଖର ଗାଁ ଠୁ ସହର । ଆଉ ଏଥିରୁ ବି ବାଦ ପଡିନି ରାଜଧାନୀ ଭୁବନେଶ୍ୱର ।
ସଂସ୍କୃତିର ଆଧାର ରଜ ପର୍ବକୁ ରାଜଧାନୀର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଓଟିଡିସି, ରାଜ୍ୟ ସଂଗ୍ରହାଳୟ ଭଳି ଅନେକ ସ୍ଥାନରେ ରଜକୁ ନେଇ ବ୍ଯବସ୍ଥା କରାଯାଇଛି । ସବୁଜ ପରିବେଶ ଭିତରେ ରଜ ପାଳୁଛନ୍ତି ରଜକୁମାରୀ । ଦୋଳି ଖେଳି ପାନ ଓ ପିଠା ମିଠା ଖାଇ ରଜ ମଜା କରୁଛନ୍ତି ରାଜଧାନୀବାସୀ । ସମେସ୍ତ ନୂଆ ଡ୍ରେସ ପିନ୍ଧି ସଜବାଜ ହେଇ, ରଜ ଗୀତ ଗାଇ ଦୋଳି ଖେଳି ଧୁମଧାମରେ ପାଳନ କରିଥାନ୍ତି ।
କେବଳ ରାଜଧାନୀବାସୀ ନୁହେଁ ରାଜ୍ୟ ବାହାରର ବି ଝିଅ ମାନେ ଆସି ରଜ ମନାଉଛନ୍ତି । ଆଉ ଆମ ସଂସ୍କୃତି ଓ ପରମ୍ପରାକୁ ପ୍ରଶଂସା କରିଛନ୍ତି । ଏହାସହ ନାରୀଙ୍କୁ ସମ୍ମାନ ଜଣାଇ ଏହି ସ୍ବତନ୍ତ୍ର ମହୋତ୍ସବ ହେଉଥିବାରୁ ଏହା ଆମ ରାଜ୍ୟର ସ୍ବତନ୍ତ୍ରତାକୁ ବହନ କରିଥାଏ ।
ଅନ୍ୟପଟେ ରଜ ଆସିଲେ ପିଠାମିଠା ସହ ପାନର ପସରା ବେଶ ଜମିଥାଏ। ରଜରେ ସଜବାଜ ସହ ରଜ ଦୋଳି ଯେତିକି ଝଟକେ ପାନ ଖଣ୍ଡେ ଖାଇଦେଲେ ମଉଜ ଟା ବି ସେତିକି ରଙ୍ଗୀନ ହୁଏ । ତେଣୁ ରଜରେ ପାନର ବେଶ ଚାହିଦା ରହିଥାଏ । ପିଲାଠୁ ବୁଢା ରଜରେ ପାନ ଖାଇ ରଜ ମହୋତ୍ସବର ମଜା ନିଅନ୍ତି । ଆଉ ଏହି ମହୋତ୍ସବକୁ ଟିକେ ସୁନ୍ଦର କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ପାନର ପସରା । ରଜ ମଉଜ ସହ ବିଭିନ୍ନ କିସମର ଭିନ୍ନ ଭିନ୍ନ ସ୍ବାଦର ମସଲାକୁ ନେଇ ପାନ ଭଙ୍ଗା ଚାଲିଥିବାବେଳେ ପାନ ଖଣ୍ଡେ ଖାଇ ବେଶ ଖୁସି ହେଉଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର