ଭୁବନେଶ୍ବର: 6923.26 କୋଟି ଟଙ୍କାର ୩ଟି ନୂତନ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ । ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ଶନିବାର ରାଜ୍ୟ ସରକାର 6923.26 କୋଟି ଟଙ୍କାର ୩ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୨୨ତମ ହାଇ ଲେଭଲ୍ କ୍ଲିୟରାନ୍ସ ଅଥୋରିଟୀ (ଏଚ୍ଏଲସିଏ) ବୈଠକରେ ନିତୀଗତ ଅନୁମୋଦନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ଠାରେ ଅନୁଷ୍ଠିତ ଏକ ବୈଠକରେ ଇସ୍ପାତ, ଆଲୁମିନିୟମ ଏବଂ ଥରମାଲ ପାୱାର ଇତ୍ୟାଦି ୩ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଏହି ୩ଟି ପ୍ରକଳ୍ପରେ 4638 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏଚ୍ଏଲସିଏ ପକ୍ଷରୁ କେନ୍ଦୁଝର ଜିଲ୍ଲାର ଦେଉଝର ଠାରେ ତ୍ରିଭେଣି ଆର୍ଥମୁଭର ପ୍ରାଇଭେଟ ଲିମିଟେଡକୁ ଦୁଇଟି ପର୍ଯ୍ୟାୟରେ ୩୦ ଏମ୍ଟିପିଏ କ୍ଷମତା ବିଶିଷ୍ଟ ବେନେଫିକେସନ୍ ପ୍ଲାଣ୍ଟ ବସାଇବା ନିମନ୍ତେ 1426.75କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ବାରା 884 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି ପାରାଦୀପର ଭିତରଗଡ ଠାରେ ତ୍ରିବେଣୀ ଆର୍ଥ ମୁଭର ପ୍ରାଇଭେଟ ଲିମିଟେଡକୁ ତିନୋଟି ପର୍ଯ୍ୟାୟରେ ୨୪ ଏମ୍ଟିପିଏ କ୍ଷମତା ବିଶିଷ୍ଟ ପେଲ୍ଲେଟ ପ୍ଲାଣ୍ଟ ବସାଇବା ନିମନ୍ତେ 3396.51 କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଏହାଦ୍ବାରା 954 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହଛଡା ରାଜ୍ୟର ଇସ୍ପାତ କ୍ଷେତ୍ରରେ ନୟାଗଡ ଠାରେ ଓରିସା ମେଟାଲିକ୍ସକୁ ୧.୨ ଏମ୍ଟିପିଏ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ସହିତ 225 ଏମ୍ଡବ୍ଲୁ ବିଶିଷ୍ଟ ସିପିପି ବସାଇବା ନିମନ୍ତେ ୨୧୦୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ବାରା ୨୮୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ