ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆରମ୍ଭ ହୋଇଛି ବିୟୋଫ୍ଲେକ୍ସ ମାଛ ଚାଷ । କମ ଜାଗା ସାଙ୍ଗକୁ କମ ପାଣିରେ ବେଶ ଲାଭବାନ ହୋଇପାରୁଛନ୍ତି ଚାଷୀ । ତେଣୁ ଏହି ମାଛ ଚାଷ ବେଶ ଆଗ୍ରହ ଦେଖିବାକୁ ମିଳିଛି ଶିକ୍ଷିତ ଯୁବକଙ୍କ ନିକଟରେ । ଚାକିରି ପଛରେ ନଧାଇଁ ନିଜ ପାଇଁ ଆପଣେଇଛନ୍ତି ରୋଜଗାର ଅନ୍ୟ ଏକ ପନ୍ଥା। ଭୁବନେଶ୍ବର ସ୍ଥିତ 3 ଯୁବ ଇଞ୍ଜିନିୟର ଏହି ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ।
ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବାବେଳେ, ଶିକ୍ଷିତ ଯୁବକଙ୍କୁ ପାଇଁ ଏହା ଉଦାହରଣ ସ୍ବରୂପ । ଭୁବନେଶ୍ବର ଅନ୍ଧାରୁଆରେ ବିୟୋଫ୍ଲେକ୍ସ ମାଧ୍ୟମରେ ମାଛ ଚାଷ କରୁଛନ୍ତି 2 ଯୁବ ଇଞ୍ଜିନିୟର ଓ ଜଣେ ଗ୍ରାଜୁଏଟ ଛାତ୍ର । ବେସରକାରୀ କମ୍ପାନୀରୁ ମୁହଁ ଫେରାଇ ଏମାନେ ଏଠାରେ ରୋହି, ଭାକୁର ଭଳି ମାଛ ଚାଷ କରୁଛନ୍ତି । ସାଧାରଣତଃ ବିୟୋଫ୍ଲେକ୍ସରେ ଅଲଗା କିସମର ମାଛ ଚାଷ କରାଯାଏପାରେ, ହେଲେ ଏମାନେ ରୋହି, ଭାକୁର ଭଳି ମାଛ କରି ବେଶ ସଫଳ ହୋଇପାରିଛନ୍ତି । ଏଥିସହ ସେମାନେ ଏହି ମାଛ ଚାଷ ପ୍ରଣାଳୀ ବିଷୟରେ 200ଜଣଙ୍କୁ ଟ୍ରେନିଂ ଦେଇସାରିଲେଣି ।
ଅନ୍ୟପଟେ, କମ ପାଣି ଓ କମ ଜାଗାରେ ଚାଷ କରି ବେଶ୍ ଲାଭ ମିଳୁଥିବାରୁ ପ୍ରତି ଘରେ ମହିଳାମାନେ ଏପରି କରିପାରିବେ ବୋଲି ମତ ପ୍ରକାଶ ପାଇଛି । ତେବେ ଏହି କୁଣ୍ଡ ମାଛ ବା ବିୟୋଫ୍ଲେକ୍ସକୁ ଲୋକେ ଅଧିକ ଗୁରୁତ୍ବ ଦେଲେ ବାହାର ରାଜ୍ୟରୁ ଆଉ ମାଛ ଆମଦାନୀ କରିବାକୁ ପଡିବ ନାହିଁ । କାରଣ ପ୍ରତିବର୍ଷ ଆମ ରାଜ୍ୟକୁ 45 ହଜାର ଟନ ମାଛର ଆମଦାନୀ ହୋଇଥାଏ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ