ଭୁବନେଶ୍ବର: ମାଉଣ୍ଟ ୟୁନାମରେ ତ୍ରିରଙ୍ଗା ଉଡାଇ ଓଡ଼ିଶାରେ ପହଞ୍ଚିଲେ ୧୫ ପର୍ବତାରୋହୀ । ୨୦ ହାଜର ୫୦ ଫୁଟ ଉଚ୍ଚତାରେ ୧୫୧ ଫୁଟ ଲମ୍ବର ଜାତୀୟ ପତାକା ମାଉଣ୍ଟ ୟୁନାମରେ ପ୍ରଥମ ଥର ପାଇଁ ଉଡାଇଲେ ଓଡ଼ିଶାରୁ ଯାଇଥିବା ଗୋ-ଇଣ୍ଡିଆ ଆଡ଼ଭେଞ୍ଚର ଟିମ । ଓଡିଆ ପୁଅ ନିଳାଚଳ ପରିଡାଙ୍କ ନେତୃତ୍ବରେ ଓଡିଶାରୁ ୧୫ ପର୍ବତାରୋହୀଙ୍କ ସହ ଅନ୍ୟ ରାଜ୍ୟରୁ ୭ଜଣ ପର୍ବତାରୋହୀ ଏହି ଦୁଃସାହସିକ ଅଭିଯାନରେ ସାମିଲ ହୋଇଥିଲେ । ୧୫ ଅଗଷ୍ଟରେ ସ୍ଵାଧୀନତା ଦିବସ ଦିନ ଟିମ ଏହି ସଫଳତା ପାଇବା ସହ ବିରଳ ରେକର୍ଡର ଅଧିକାରୀ ହୋଇଛି ।
ଏହି ମିଶନରେ ମୋଟ ୧୮ ଜଣ ସଫଳତାର ସହ ପର୍ବତ ଆରୋହଣ କରିଥିଲେ। ଓଡ଼ିଶା ଏବଂ ଭାରତର ପରମ୍ପରା ଓ ସଂସ୍କୃତିକୁ ସାରା ବିଶ୍ଵ ଦରବାରରେ ଦୁଃସାହସିକ କ୍ରୀଡାର ମାଧ୍ୟମରେ ଦେଖାଇବା ଥିଲା ଏହି ଯାତ୍ରାର ଉଦ୍ଦେଶ୍ୟ । ଏହାସହ କୋଭିଡ ୧୯ରେ ପ୍ରାଣ ହରାଇଥିବା ଡ଼ାକ୍ତର, ନର୍ସ ଓ ସାମ୍ବାଦିକ, ଦେଶ ପାଇଁ ଜୀବନ ଦେଇଥିବା ଭାରତୀୟ ସେନା, ଓଡ଼ିଆ ପାଇକ, ବରପୁତ୍ର ବିଜୁ ପଟ୍ଟନାୟକ ଆଦିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଓଡିଆ ପର୍ବତାରୋହୀଙ୍କର ଏହି ସଫଳତାକୁ ନେଇ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଓଡ଼ିଆ ସିନେ ଅଭିନେତା ସବ୍ୟସାଚ୍ଚୀ ମିଶ୍ର ପ୍ରଶଂସିତ କରିବା ସହ ଉତ୍ସାହିତ କରିଥିଲେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ