ବ୍ରହ୍ମପୁର: ଗୋଳନ୍ଥରା ପୋଲିସକୁ ବଡ ସଫଳତା । ଦୂର୍ଗାପୂଜା ପାଇଁ ପୋଲିସର ଚେକିଂ ସମୟରେ ଧରାପଡିଲା କିଲୋ କିଲୋ ସୁନା ଓ ରୂପା ଅଳଙ୍କାର । ଗଞ୍ଜାମ ଜିଲ୍ଲା ସୋରଳ ଜଙ୍କସନ୍ରୁ ଏକ କାରରୁ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫.୫ କେଜି ରୁପା ଜବତ କରିଛି ଗୋଳନ୍ଥରା ଥାନା ପୋଲିସ୍ । ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ସୂଚନା ଅନୁସାରେ, ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହର ସମେତ ଉପଖଣ୍ଡ ଅଞ୍ଚଳରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଯାଞ୍ଚ କରାଯାଇଥିବାବେଳେ, ସୁନା ଓ ଟଙ୍କା ଜବତ ହେବା ଘଟଣାକୁ ଅନୁଧ୍ୟାନ କଲେ ଅନେକ ଅସାଧୁ ବ୍ୟବସାୟୀ କୋଟି କୋଟି ଟଙ୍କା ଟିକସ ଫାଙ୍କୁଥିବା ଜଣାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ପୋଲିସ ଥାନା ନିକଟରେ ନାକା ଲଗାଇ ଜାତୀୟ ରାଜପଥରେ ଯାଞ୍ଚ କରୁଥିବା ସମୟରେ ଏକ କାର୍ ମଧ୍ୟରୁ ସ୍ରିକେଟ ଚାମ୍ବରରୁ ମଧ୍ୟରେ 4.664 କିଲୋଗ୍ରାମର ସୁନା ଓ 185.5 କିଲୋ ରୂପା ଅଳଙ୍କାରକୁ ଜବତ କରାଯାଇଛି ।
ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ 3.10 କୋଟି ଟଙ୍କା ହେବ ବୋଲି କୁହାଯାଇଛି । ମୁଖ୍ୟତଃ କର୍ଣ୍ଣାଟକ ରେଜିଷ୍ଟେସନ୍ ନମ୍ୱର ବିଶିଷ୍ଟ ଏହି କାର୍ ମଧ୍ୟରୁ ଏଭଳି ସୁନା ଓ ରୂପା ଜବତ ହେବା ପରେ ସେ କୌଣସି କାଗଜପତ୍ର ଦେଖାଇନପାରିବାରୁ ଏ ନେଇ ପୋଲିସ ପକ୍ଷରୁ ଆୟକର ବିଭାଗକୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଗଞ୍ଜେଇ ଚଢ଼ାଉ ବେଳେ ମିଳିଲା ୩୩ ଲକ୍ଷରୁ ଅଧିକ !
ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, "ଗୋଳନ୍ଥରା ଥାନା ଅଞ୍ଚଳରେ ପୂଜା ପାଇଁ ଆମର ଚେକିଙ୍ଗ ଚାଲିଥିଲା । ଆମେ ସବୁ ଗାଡିକୁ ଅଟକାଇ ଚେକିଂ କରୁଥିଲୁ । ଏହି ସମୟରେ ଗାଡିରେ ରହିଥିବା 4 ଜଣ ବ୍ୟକ୍ତିମାନଙ୍କର ଆଚରଣ ମଧ୍ୟ ଠିକ ନଥିଲା । ତାପରେ ଆମେ ସେ ଗାଡିକୁ ଭଲ ଭାବରେ ଚେକ୍ କରିଥିଲୁ । ଏକ ସିକ୍ରେଟ ଚାମ୍ବରରୁ 4.664 କିଲୋଗ୍ରାମର ସୁନା ଓ 185.5 କିଲୋ ରୂପା ଅଳଙ୍କାରକୁ ଜବତ କରାଯାଇଥିବାବେଳେ ଏହାର ମୂଲ୍ୟ 3.10 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।"
ଆରକ୍ଷୀ ଅଧିକ୍ଷକ ଆହୁରି ମଧ୍ୟ କହିଛନ୍ତି ଯେ, "ସେମାନେ ସଠିକ ଭାବେ ତଥ୍ୟ ଦେଇପାରୁନଥିବା କାରଣରୁ ଆମେ ସିଜ କରିଛୁ । ପ୍ରାଥମିକ ତଦନ୍ତରୁ ଆମେ ଜାଣିବାକୁ ପାଇଛୁ ଯେ, ୪ ଜଣ ଯୁବକ କର୍ଣ୍ଣାଟକ ରେଜିଷ୍ଟ୍ରସନ ହୋଇଥିବା ଗାଡ଼ିରେ ତାମିଲନାଡ଼ୁରୁ ବ୍ରହ୍ମପୁରର କିଛି ସୁନା ବ୍ୟବସାୟୀଙ୍କୁ ଏହି ସୁନା ଓ ରୂପା ଚାଲାଣ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେମାନେ କେଉଁ ବ୍ୟବସାୟୀଙ୍କୁ ସୁନା, ରୂପା ଚାଲାଣ କରୁଥିଲେ ସେ ନେଇ ଜଣାପଡ଼ିନାହିଁ । ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରହିଛି ।"
ଇଟିଭି ଭାରତ, ବ୍ରହ୍ମପୁର