ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କୁ କିପରି ସାର ଯୋଗାଇ ଦିଆଯିବ ଏବଂ କଳା ବଜାରୀକୁ ରୋକା ଯାଇପାରିବ ସେ ନେଇ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏ.ଆର୍.ସି.ଏସ୍., ଏସ୍.ଏ.ଆର୍.ସି.ଏସ୍, ଆଇ.ସି.ଏସ୍, ଏମ୍.ଆଇ ଓ ଆଇ.ଏସ୍ ମାନଙ୍କ ସହିତ ଆଲୋଚନା କରାଯାଇଛି ।
ଚାଷୀ ମାନଙ୍କର ପଞ୍ଜିକରଣ ଏବଂ ସାରର ସୁଷମ ବଣ୍ଟନ ନେଇ ଏହି ଅବସରରେ ଆଲୋଚନା କରାଯାଇଥିଲା । ବିଗତ ବର୍ଷ ୧ ଲକ୍ଷ ୩୪ ହଜାର ୪୬୨ ଚାଷୀ ପଞ୍ଜିକରଣ କରିଥିବା ସ୍ଥଳେ ଚଳିତ ବର୍ଷ ଏଯାବତ୍ ୬୬ ହଜାର ୭୬୯ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଯାହାକି ଶତକଡା ୪୮.୮୭ ପ୍ରତିଶତ । କୋରୋନା ପ୍ରଭାବ ଯୋଗୁଁ ଚାଷୀଙ୍କ ପଞ୍ଜିକରଣ କମ୍ ହେଇଥିବା ଜଣାଯାଏ । ଜିଲ୍ଲାର ଅନେକ ବ୍ଲକରେ ଶତକଡା ୫୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ମାସ ୩୧ ତାରିଖ ସୁଦ୍ଧା ଚାଷୀଙ୍କୁ ପଞ୍ଜିକରଣ କରିବା ସକାଶେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ସମସ୍ତ ଚାଷୀ ଯେପରି ପଞ୍ଜିକରଣ ହେବେ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ନିମନ୍ତେ ଆବଶ୍ୟକ ହେଉଥିବା ସାର ଉପଲବ୍ଧ କରିବା ସକାଶେ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରିବାକୁ କୃଷି ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଜଣାଇଥିଲେ । ସାରର କଳାବଜାରୀ ରୋକିବା ନିମନ୍ତେ ଚଢାଉ କରିବା ସକାଶେ ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଏବଂ କୃଷି ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ।
ସାରର ସୁଷମ ବଣ୍ଟନ ଯେପରି ହୋଇପାରିବ ସେଥିନିମନ୍ତେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସାଧାରଣ ସୁଷମ ବଣ୍ଟନ ପ୍ରକ୍ରିୟା ସମୟରେ ହିତାଧିକାରୀମାନଙ୍କ ଦ୍ୱାରା ଯେପରି ସାମାଜିକ ଦୂରତ୍ୱ ବଜାୟ ରହିବ ଓ ମାସ୍କ ପରିଧାନ ପ୍ରତି ଗୁରୁତ୍ୱ ଦେବାକୁ ଯୋଗାଣ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଅବଗତ କରାଯାଇଛି । ଏହି ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବ ରଞ୍ଜନ ଦାଶ, କୃଷି ବିଭାଗୀୟ ଉପନିର୍ଦ୍ଦେଶକ କାଶୀନାଥ ଖୁଣ୍ଟିଆ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଯୋଗାଣ ଅଧିକାରୀ ଉଷାମୁଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ