ବ୍ରହ୍ମପୁର: ଦୂଷିତ ବର୍ଷା ପାଣିରୁ କିପରି ରକ୍ଷା ପାଇବେ? ଝାଡାବାନ୍ତି ତଥା ଡାଇରିଆ ଭଳି ରୋଗରୁ କିପରି ପାଇବେ ମୁକ୍ତି ? ଏହାର ନିରାକରଣ ପାଇଁ କେଉଁ ପନ୍ଥା ସବୁ ଆପଣାଇବେ ? ଏନେଇ ସଚେତନତା ଅଭିଯାନ ଆରମ୍ଭ କରିଛି ବ୍ରହ୍ମପୁର ମହାନଗର ନିଗମ । ଏଥିପାଇଁ ଆସନ୍ତା ଜୁଲାଇ ୨ ରୁ ୧୬ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ପକ୍ଷ ଏବଂ ୧୭ ଜୁଲାଇ ଠାରୁ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ମାସ ବ୍ୟାପି ମ୍ୟାଲେରିଆ ,ଡେଙ୍ଗୁ ,ଡାଇରିଆ ଏବଂ ମସ୍ତିଷ୍କ ଜ୍ବର ସଚେତନତା ଓ ନିରାକରଣ ଅଭିଯାନ ଭାବରେ ପାଳିତ ହେବ ।
ଆଗକୁ ବର୍ଷା ଦିନ । ଆଉ ଏହି ସମୟରେ ଦୂଷିତ ପାଣି ଜମା ରହି ମଶାଙ୍କ ପ୍ରାଦୁର୍ଭାବ ବଢିଥାଏ । ଏଥିଯୋଗୁଁ ମ୍ୟାଲେରିଆ ,ଡେଙ୍ଗୁ ,ଡାଇରିଆ ଏବଂ ମସ୍ତିଷ୍କ ଜ୍ବର ଭଳି ରୋଗ ହେବାର ଅନେକ ମାତ୍ରାରେ ସମ୍ଭାବନା ରହିଥାଏ । ଏଣୁ ସହରବାସୀଙ୍କୁ ସୁସ୍ଥ ଓ ସଚେତନ କରିବାକୁ ମହାନଗର ନିଗମ ପକ୍ଷରୁ ଏଭଳି ଅଭିନବ ପ୍ରୟାସ କରାଯାଇଛି ।
ଏହି ସମୟରେ ସହରର ୪୦ଟି ୱାର୍ଡର ୧୭୦ ମହିଳା ଆରୋଗ୍ୟ ସମିତି, ୧୯୬ ଅଙ୍ଗନବାଡ଼ି ସେଣ୍ଟରରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହାର ତଦାରଖ କରିବେ। ଏହି ଅଭିଯାନରେ ଲୋକଙ୍କୁ ସଚେତନତା କରିବା ସହ ସମୂହ ସଫେଇ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି । ଏଥିସହ ରୋଗ ଦାଉରୁ ମୁକ୍ତି ପାଇଁ ମଶାରୀ ଟାଣି ଶୋଇବା , ଘର ନିକଟରେ ଯେପରି ପାଣି ଜମା ନ ରହିବ ସେ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।
ଏ ନେଇ ଆୟୋଜିତ ସଚେତନା କାର୍ଯ୍ୟକ୍ରମରେ ମହାନଗର ନିଗମର ଡେପ୍ୟୁଟି କମିଶନର ସୈରୀନ୍ଦ୍ର ରାଉତରାୟଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଓ ସ୍ବାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ