ନୂଆଦିଲ୍ଲୀ: କୋରୋନା ସଙ୍କଟର ମୁକାବିଲା ପାଇଁ ଖର୍ଚ୍ଚ ପେଢି ଖୋଲିଦେଲେ ସରକାର । ପୁଞ୍ଜି ବ୍ୟୟ ନେଇ ରହିଥିବା ଶକ୍ତ ନିୟମକୁ କଲେ କୋହଳ ।
ଶୁକ୍ରବାର ଅର୍ଥମନ୍ତ୍ରାଳୟ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପାଇଁ ରହିଥିବା ଦିଶାନିର୍ଦ୍ଦେଶକୁ କରିଛି ସରଳ । ଏହି କୋହଳର ଲକ୍ଷ୍ୟ ହେଉଛି 2021-22 ସାଧାରଣ ବଜେଟରେ ସମସ୍ତ ମନ୍ତ୍ରାଳୟ ଓ ବିଭାଗ ପାଇଁ ନିର୍ଦ୍ଧାରିତ 44,000 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳକୁ ବ୍ୟବହାର କରାଯାଉ । ଫଳରେ ପ୍ରକଳ୍ପ ସବୁ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ।
କୋଭିଡ-19 ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ଅର୍ଥମନ୍ତ୍ରାଳୟ ।
ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଜାରି କରିଥିବା କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁଯାୟୀ, ମାସିକ / ତ୍ରୟମାସିକ ବ୍ୟୟ ଯୋଜନା ଏବଂ ବଜେଟ୍ ଅନ୍ତର୍ଗତ ପୁଞ୍ଜି ବ୍ୟୟ ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ ନାହିଁ । ଏଥିରେ କୁହାଯାଇଛି ଯେ 2017 ଅଗଷ୍ଟ 21ରେ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁଯାୟୀ ଜାରି କରାଯାଇଥିବା ନଗଦ ପରିଚାଳନା ନିର୍ଦ୍ଦେଶାବଳୀକୁ ଅର୍ଥ ମନ୍ତ୍ରଣାଳୟ କୋହଳ କରିଛି । ଯାହାଫଳରେ ମନ୍ତ୍ରଣାଳୟ / ବିଭାଗ ପୁଞ୍ଜି ବ୍ୟୟକୁ ତ୍ବରାନ୍ବିତ କରିପାରିବ ।