ହାଇଦ୍ରାବାଦ: ଆଜିକାଲି ପ୍ରତିଟି ବାପାମାଆ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଖୁବ୍ ଚିନ୍ତିତ । ମହଙ୍ଗା ଯୁଗରେ ପିଲାଙ୍କୁ ଉନ୍ନତ ଜୀବନଶୈଳୀ ସହ ଉତ୍ତମ ସ୍ବାସ୍ଥ୍ୟ ଏବଂ ଶିକ୍ଷା ଯୋଗାଇବା ପାଇଁ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ରୋଜଗାର ସାଙ୍ଗକୁ ଆର୍ଥିକ ନିରପତ୍ତାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି । ହେଲେ ଦେଖାଯାଉଛି ଅଧିକାଂଶ ଲୋକେ ଉଚ୍ଚ ରୋଜଗାରକ୍ଷମ ହୋଇଥିଲେ ମଧ୍ୟ ସେମାନେ ଆର୍ଥିକ ଯୋଜନା ସମ୍ପର୍କରେ ବିଶେଷ ସଚେତନ ରହୁନାହାନ୍ତି । ଯାହା ପରବର୍ତ୍ତୀ ସମୟରେ ତାଙ୍କ ପିଲାଙ୍କୁ ଅସୁବିଧାରେ ପକାଇପାରେ । ତେଣୁ ନିଜର ସନ୍ତାନଙ୍କ ଉଜ୍ବଳ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଟି ବାପାମାଆ ଆର୍ଥିକ ଯୋଜନା(financial planning) ସମ୍ପର୍କରେ ସବିଶେଷ ଧାରଣା ରଖିବା ନିତାନ୍ତ ଆବଶ୍ୟକ । ଯଦ୍ବାରା ଯଦି କେବେ କୌଣସି ଅପ୍ରତ୍ୟାଶିତ ଘଟଣା ଘଟୁଛି, ତେବେ ଆପଣଙ୍କ ପିଲାଙ୍କୁ ଯେପରି କୌଣସି ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ନ ପଡେ । ତେବେ ଜାଣିରଖନ୍ତୁ କ'ଣ ଏହି ଆର୍ଥିକ ଯୋଜନା ଏବଂ କିପରି ନିଜ ପିଲାଙ୍କୁ ଦେବେ ଏକ ସୁରକ୍ଷିତ ଭବିଷ୍ୟତ ।
ଉତ୍ତରାଧିକାରୀଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ପାଇଁ ଦଲିଲ୍ ପ୍ରସ୍ତୁତ ରଖନ୍ତୁ: ପିଲାଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଉଜ୍ବଳ ଭବିଷ୍ୟତର ଚାବି । ହେଲେ ବିନା କୌଣସି ଆଇନଗତ ଜଟିଳତାରେ ଏହି ସମ୍ପତ୍ତି ଆପଣଙ୍କ ସନ୍ତାନଙ୍କ ନିକଟରେ ପହଞ୍ଚିବା ମଧ୍ୟ ଜରୁରୀ । ଏନେଇ ବିଶେଷଜ୍ଞଙ୍କ କହିବା କଥା, ପ୍ରତ୍ୟେକ ବ୍ୟକ୍ତି ନିଜ ଉତ୍ତରାଧିକାରୀଙ୍କୁ ସମ୍ପତ୍ତି ହସ୍ତାନ୍ତରଣର ଦଲିଲ୍ ପୂର୍ବରୁ ପ୍ରସ୍ତୁତ କରି ରଖିବା ଆବଶ୍ୟକ । ଦଲିଲ୍ ଏପରି ଏକ ଆଇନଗତ ଦସ୍ତାବିଜ୍ ଅଟେ, ଯାହା ମୃତ୍ୟୁ ପରେ ଆପଣଙ୍କ ତମାମ୍ ଧନସମ୍ପତ୍ତି କିଏ ଭୋଗ କରିବା ତାହା ସୁନିଶ୍ଚିତ କରିଥାଏ । ଅଧିକାଂଶ ଲୋକେ ଦଲିଲରେ ନିଜ ପିଲା ଏବଂ ଜୀବନସାଥି ନାମ ଉଲ୍ଲେଖ କରିଥାନ୍ତି । କିଛି ଲୋକେ ନିଜର ଘନିଷ୍ଠ ସମ୍ପର୍କୀୟଙ୍କୁ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ବନାଇବାକୁ ଦଲିଲ୍ ପ୍ରସ୍ତୁତ କରିଥାନ୍ତି । ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିବିଶେଷ ନିଜ ପିଲାଙ୍କୁ ହିଁ ଆର୍ଥିକ ଉପହାର ଭାବେ ନିଜର ସମ୍ପତ୍ତି ସମର୍ପି ଥାଆନ୍ତି ।
ପରିବାର ପାଇଁ ସ୍ବାସ୍ଥ୍ୟବୀମା ପଲିସି: ପରିବାରରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଦିଗରେ ହେଉଥିବା ଖର୍ଚ୍ଚ ଲାଗି ପ୍ଲାନିଂ ଜରୁରୀ ଅଟେ । ତେଣୁ ପିଲା ଜନ୍ମ ହେବା ମାତ୍ରେ ଆପଣ family floater health insurance policy ନେବା ଉଚିତ୍ । ବର୍ତମାନ ସମୟରେ ମେଡିକାଲ ଖର୍ଚ୍ଚ ଖୁବ୍ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ବୀମା ବିନା ଏସବୁ ଖର୍ଚ୍ଚ ତୁଲାଇବା ଖୁବ୍ କଷ୍ଟକର ଅଟେ । ଯଦି ସ୍ବାସ୍ଥ୍ୟ ବୀମା ନାହିଁ, ତେବେ ଗୁରୁତର ରୋଗର ଚିକିତ୍ସାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସ୍ବାସ୍ଥ୍ୟ ବୀମା ନିଶ୍ଚୟ ନିଅନ୍ତୁ । କହିରଖୁଛୁ କି, କମ୍ ବୟସରେ ହିଁ ସ୍ବାସ୍ଥ୍ୟ ବୀମା ନିଆଯାଇଥାଏ । ଏଥିପାଇଁ ମେଡିକାଲ ଯାଞ୍ଚର ଆବଶ୍ୟକତା ନଥାଏ ।
ପରିବାରର ଆର୍ଥିକ ନିଷ୍ପତ୍ତିରେ ପିଲାଙ୍କୁ ସାମିଲ କରନ୍ତୁ: ପିଲାଙ୍କୁ ଆର୍ଥିକ ରୂପେ ସଶକ୍ତ କରିବା ଜରୁରୀ ଅଟେ । ସେମାନଙ୍କ ମଧ୍ୟରେ ଆୟ ଏବଂ ବ୍ୟୟ ସମ୍ପର୍କିତ ଆର୍ଥିକ ପ୍ଲାନିଂ ସମ୍ପର୍କରେ ଧାରଣା ସୃଷ୍ଟି କରିବା ଆବଶ୍ୟକ । ତେଣୁ ପରିବାରରେ କୌଣସି ଆର୍ଥିକ ନିଷ୍ପତ୍ତି ନିଆଯାଉଥିବାବେଳେ ନିଜର ପିଲାଙ୍କ ସହ ଏ ସମ୍ପର୍କରେ ଚର୍ଚ୍ଚା କରନ୍ତୁ । ନିଜର ସମ୍ପତ୍ତି ଏବଂ ଆୟବ୍ୟୟ ସମ୍ପର୍କରେ ଜାଣିବା ସେମାନଙ୍କ ପାଇଁ ଅତିରିକ୍ତ ଲାଭ ଅଟେ । ବିଭିନ୍ନ ଆର୍ଥିକ ନିର୍ଣ୍ଣୟରେ ପିଲାଙ୍କୁ ସାମିଲ କରିବା ଦ୍ବାରା ତାଙ୍କୁ ଘରର ଆର୍ଥିକ ସ୍ଥିତି ସମ୍ପର୍କରେ ଧାରଣା ମିଳିଥାଏ ।
ପିଲାଙ୍କୁ ଋଣମୁକ୍ତ ଜୀବନ ଦିଅନ୍ତୁ: ନିଜ ପିଲାଙ୍କୁ ଏକ ଋଣମୁକ୍ତ ଏବଂ ସୁରକ୍ଷିତ ଜୀବନ ପ୍ରଦାନ କରିବା ପ୍ରତିଟି ପିତାମାତାଙ୍କ ନୈତିକ କର୍ତ୍ତବ୍ୟ । କୌଣସି ବି ସ୍ଥିତିରେ ଋଣ ପିଲାଙ୍କ ଭାଗକୁ ହସ୍ତାନ୍ତର ହେବା ଅନୁଚିତ୍ । ଯଦି କେହି ଲୋନ ନେଉଛନ୍ତି, ତେବେ ତାହାକୁ ପରିଶୋଧ କରିବା ଲାଗି ଏକ ବ୍ୟାକଅପ୍ ପ୍ଲାନ ନିଶ୍ଚୟ ରଖନ୍ତୁ । ସମାଜରେ ଏଭଳି ଟର୍ମ ପଲିସି ରହିଛି ଯାହା ଜୀବନବ୍ୟାପୀ ଲୋନର କଭର କରିଥାଏ । ନିଜ କ୍ଷମତାରୁ ଅଧିକ ଋଣ ନେବା ଅନୁଚିତ୍ । ଯେତେବେଳେ ଆପଣଙ୍କ ସନ୍ତାନ ଋଣମୁକ୍ତ ରହିବେ, ସେତେବେଳେ ସେମାନେ ସମ୍ପତ୍ତି ବୃଦ୍ଧି ଦିଗରେ ଅଧିକ ଯତ୍ନବାନ ହେବେ । ଏହା ସଙ୍ଗେ ସଙ୍ଗେ ଧ୍ୟାନ ରଖନ୍ତୁ, ଯେପରି ଅବସର ପରେ ମଧ୍ୟ ଆପଣ ପିଲାଙ୍କ ଉପରେ ଆର୍ଥିକ ରୂପେ ନିର୍ଭରଶୀଳ ନ ରହିବେ । ସେଥିପାଇଁ ପୂର୍ବରୁ ଯୋଜନା କରିବା ଆବଶ୍ୟକ ।
ଆର୍ଥିକ ନିରପତ୍ତା: ବର୍ତ୍ତମାନ ସମୟରେ ପ୍ରତିଟି ବ୍ୟକ୍ତି ଜୀବନ ବୀମା ନେବାକୁ ପସନ୍ଦ କରୁଛନ୍ତି । ଯଦି କୌଣସି ବ୍ୟକ୍ତି ନିଜ ଜୀବନ ବୀମା କରୁନାହାନ୍ତି ତେବେ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ବା ସନ୍ତାନସନ୍ତତିଙ୍କୁ ବିଷମ ପରିସ୍ଥିତିରେ ସାମ୍ନାକୁ କରିବାକୁ ପଡିପାରେ । ଜଣେ ବ୍ୟକ୍ତି ସେ ପର୍ଯ୍ୟନ୍ତ ପରିବାରର ଆବଶ୍ୟକତା ପୂରଣ କରିଥାଏ ଯେଉଁ ପର୍ଯ୍ୟନ୍ତ ସେ ରୋଜଗାର କରୁଥାଏ । ହେଲେ ଦୁର୍ଭାଗ୍ୟବଶତଃ ଯଦି କେବେ କୌଣସି ଅପ୍ରତ୍ୟାଶିତ ଘଟଣା ଘଟିଯାଏ ତେବେ ପୁରା ପରିବାର ସଙ୍କଟରେ ପଡିଥାନ୍ତି । ସେଥିପାଇଁ ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଟର୍ମ ଇନସ୍ୟୁରାନ୍ସ ନେବା ଆବଶ୍ୟକ । ଯଦ୍ବାରା ତାଙ୍କର ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ରହିବ ।