ୱାସିଂଟନ: 17 ବର୍ଷ ପରେ ବଦଳିଲା ଫେସବୁକ(Facebook) ନାଁ । ନୂଆ ପରିଚୟ ପାଇଲା ବିଶ୍ବର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ । ନିଜ ନାଁ 'ମେଟା'(Meta)କୁ ପରିର୍ତ୍ତନ କଲା ଫେସବୁକ । ଏଣିକି ଫେସବୁକ ବିଶ୍ବବ୍ୟାପୀ 'ମେଟା' ନାମରେ ଜଣାଯିବ । ଗୁରୁବାର କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଏକ ବୈଠକରେ ଏନେଇ ଘୋଷଣା କରିଛନ୍ତି । ଫେସବୁକ ନାଁ ବଦଳିବା ନେଇ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା ।
ମାର୍କ ଜୁକରବର୍ଗ ବହୁ ଦିନରୁ ନିଜ ସୋସିଆଲ ମିଡିଆ କମ୍ପାନୀର ରିବ୍ରାଣ୍ଡିଂ କରିବାକୁ ଚାହୁଁଥିଲେ । ଯଦ୍ବାରା ଫେସବୁକ କେବଳ ଗୋଟିଏ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ଗଣାଯିବ ନାହିଁ । ଏଥିପାଇଁ ବର୍ତ୍ତମାନ କମ୍ପାନୀ ମେଟାଭର୍ସ ବନାଇବା ଉପରେ ଫୋକସ କରୁଛି । ମେଟାଭର୍ସ ଏମିତି ଏକ ଭର୍ଚୁଆଲ ପ୍ଲାଟଫର୍ମ ଯେଉଁଠି ଶାରୀରିକ ଭାବେ ନ ରହି ମଧ୍ୟ ଉପସ୍ଥିତ ଜାହିର କରିପାରିବେ । ଏହା ମାଧ୍ୟମରେ ଏଭଳି ଏକ ଭର୍ଚୁଆଲ ଦୁନିଆ ପ୍ରସ୍ତୁତ କରାଯିବ । ଯେଉଁଥିରେ ଟ୍ରାନ୍ସଫର ଏବଂ କମ୍ୟୁନିକେସନ ପାଇଁ ଭିନ୍ନ ଭିନ୍ନ ଟୁଲ ବ୍ୟବହାର କରାଯାଇପାରିବ ।
ଫେସବୁକ ନିଜ ନାଁ ପରିବର୍ତ୍ତନ କରିବା ସହ ବ୍ୟାପକ ନିଯୁକ୍ତ ସୁଯୋଗ ମଧ୍ୟ ସୃଷ୍ଟି କରିଛି । ପ୍ରାୟ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବା ଲାଗି ପ୍ରସ୍ତୁତ ହେଉଛି କମ୍ପାନୀ । ନିଯୁକ୍ତ ପାଇବାକୁ ଥିବା ବ୍ୟକ୍ତିବିଶେଷ ମେଟାଭର୍ସ ପରିକଳ୍ପାନାକୁ ରୂପରେଖ ଦେବାରେ ସାହାଯ୍ୟ କରିବେ ।
ଉଲ୍ଲେଖଯୋଗ୍ୟ, ଅତୀତରେ ଏମିତି ଅନେକ କମ୍ପାନୀ ନିଜର ନାଁ ବଦଳାଇ ସାରିଛନ୍ତି । ଅନେକ ଥର କମ୍ପାନୀମାନେ ନିଜ ନାଁ ବଦଳାଇବାର ଦୃଷ୍ଟାନ୍ତ ରହିଛି । ତେବେ ଫେସବୁକ ପ୍ରଥମ ଥର ପାଇଁ ନିଜ ନାଁ ବଦଳାଇଛି ।