ନୂଆଦିଲ୍ଲୀ: ଅଗଷ୍ଟ 2କୁ ଘୁଞ୍ଚିଲା ପଳାତକ ବିଜୟ ମାଲ୍ୟା ଯାଚିକାର ଶୁଣାଣି । ନିଜ ପରିଜନ ତଥା ସେମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ଜବତ ନ କରିବା ପାଇଁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ । ଏହାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ଏହାକୁ ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି ।
ପ୍ରକାଶ ଥାଉ ଯେ, ମାଲ୍ୟାଙ୍କ ସମ୍ପତ୍ତି ଜବତ ନେଇ ବିଶେଷ ଅଦାଲତରେ ଦୀର୍ଘସମୟ ଧରି ଶୁଣାଣି ହୋଇଆସୁଛି । ତେବେ ଏହା ଉପରେ ରୋକ ଲଗାଇବାକୁ ମାଲ୍ୟା ଅପିଲ କରିଥିଲେ । ହେଲେ ଏହାକୁ ନାମଞ୍ଜୁର କରି ଗତ 11 ତାରିଖରେ ବମ୍ବେ ହାଇକୋର୍ଟ ମାଲ୍ୟାଙ୍କ ଅପିଲ ଖାରଜ କରିଦେଇଥିଲେ ।
ଚଳିତ ବର୍ଷ ଜାନୁଆରୀ 5ରେ ବିଶେଷ ଅଦାଲତ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଥିଲେ । ଏହା ପରେ ଅଦାଲତ ତାଙ୍କ ସମ୍ପତ୍ତି ଜବତ କାର୍ଯ୍ୟପ୍ରଣାଳୀ ଆରମ୍ଭ କରିସାରିଛି । ଭାରତୀୟ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟି ଟଙ୍କା ଠକିଥିବା ମାମାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶ ବିଦେଶରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି । ତେବେ ଏହା ଉପରେ ରୋକ ଲଗାଇବାକୁ ମାଲ୍ୟା ଏକ ଯାଚିକା କରି ଅନୁରୋଧ କରିଛନ୍ତି ଯେ, କିଙ୍ଗଫିସର ଏୟାରଲାଇନ୍ସ ବ୍ୟତୀତ ଅନ୍ୟ ପରିଜନ ଓ ସେମାନଙ୍କ ସମ୍ପତ୍ତି ଜବତ କରାନଯାଉ ।