ନୂଆଦିଲ୍ଲୀ: ଏସିଆର ନମ୍ବର ୱାନ ତଥା ବିଶ୍ବର ଚତୁର୍ଥ ଧନୀ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) 10 ସ୍ଥାନ ଲମ୍ଫ ମାରି ବିଶ୍ବର ଶ୍ରେଷ୍ଠ 100 କମ୍ପାନୀ ଲିଷ୍ଟରେ ନିଜ ସ୍ଥାନ ହାସଲ କରିଛି । ମଙ୍ଗଳବାର ପ୍ରକାଶ ହୋଇଥିବା ‘ଫର୍ଚ୍ୟୁନ ଗ୍ଲୋବାଲ 500’ ତାଲିକାରୁ ଏନେଇ ଜଣାପଡିଛି ।
ଫର୍ଚ୍ୟୁନ ପକ୍ଷରୁ ପ୍ରକାଶିତ ଏହି ଗ୍ଲୋବାଲ 500 କମ୍ପାନୀ ଲିଷ୍ଟରେ ପ୍ରଥମ ଥର କୌଣସି ଭାରତୀୟ କମ୍ପାନୀ ଶ୍ରେଷ୍ଠ 100 ମଧ୍ୟରେ ସ୍ଥାନ ଅକ୍ତିଆର କରିଛି । ତେଲ , ପେଟ୍ରୋକେମିକାଲ, ଦୂରସଞ୍ଚାର ସେକ୍ଟରରେ ଦବଦବା ରଖିଥିବା ରିଲାଏନ୍ସ ଫର୍ଚ୍ୟୁନ 2020ର ଏହି ବୈଶ୍ବିକ କମ୍ପାନୀ ତାଲିକାରେ 96 ନମ୍ବରରେ ରହିଛି ।
ଏହା ପୂର୍ବରୁ 2012 ମସିହାରେ ରିଲାଏନ୍ସ ଫର୍ଚ୍ୟୁନ ଗ୍ଲୋବାଲ 100 ତାଲିକାରେ 99 ନମ୍ବରରେ ରହିଥିଲା । କିନ୍ତୁ ଏହା ପରବର୍ତ୍ତୀ ବର୍ଷଗୁଡିକରେ ଏହାର ସ୍ଥାନ ଖସିବାରେ ଲାଗିଥିଲା । 2016 ରେ ଏହ 215 ନମ୍ବରର ରହିଥିଲା । କିନ୍ତୁ ଏହା ପରେ ଲଗାତାର ଏହାର ରାଙ୍କିଂରେ ସୁଧାର ଦେଖିବାକୁ ମିଳିଥିଲା ।
ଚଳିତ ବର୍ଷ ଫର୍ଚ୍ୟୁନ ଗ୍ଲୋବାଲ 500 ତାଲିକାରେ ଭାରତର ମୋଟ 7ଟି କମ୍ପାନୀ ରହିଛି । ରାଷ୍ଟ୍ରାୟତ ତୈଳ କମ୍ପାନୀ ଆଇଓସି 34 ସ୍ଥାନ ଖସି 151ରେ ପହଞ୍ଚିଛି । ସେହିପରି ଓଏନଜିସି 190 , ଭାରତୀୟ ଷ୍ଟେଟ ବ୍ୟାଙ୍କ 15 ସ୍ଥାନ ଉପରକୁ ଉଠି 211 ରେ ରାଙ୍କରେ ରହିଛି ।
ଫର୍ଚ୍ୟୁନ ଅନୁସାରେ 2020 ରେ ୱାଲମାର୍ଟ ବିଶ୍ବର ଶେଷ୍ଠ ଗ୍ଲୋବାଲ କମ୍ପାନୀ ଖିତାବ ହାତେଇଛି । ଏହା ପଛକୁ 3 ଟି ଚୀନ କମ୍ପାନୀ ଓ ପଞ୍ଚମରେ ରୟାଲ ଡଚ ଏବଂ ଷଷ୍ଠରେ ସାଉଦି ଅରାମକୋ ରହିଛି ।