ନୂଆଦିଲ୍ଲୀ: ନୂଆ ମୋଟର ଭେହିକଲ ଆକ୍ଟ ଲାଗୁ ପରେ ସମଗ୍ର ଦେଶରେ ଚାଲାଣ ଚଡକ । ଜାଣି ଆଶ୍ଚର୍ଯ୍ୟ ହେବେ ନିୟମ ଲାଗୁର 15ଦିନ ମଧ୍ୟରେ 10ଟି ରାଜ୍ୟରୁ ପାଖାପାଖୀ 10.5 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚାଲାଣ କଟାଯାଇଛି। ଯେଉଁଥିପାଇଁ ଭୟରେ ଉକ୍ତ ରାଜ୍ୟର 5.5 ଲକ୍ଷ ଲୋକ ଧରପଗଡ ଭାବେ ଡ୍ରାଇଭିଂ ଲାଇସେନ୍ସ କରିଛନ୍ତି। ସେହିପରି ଏହି ଅବଧିରେ ବୀମା ବିକ୍ରି ଡବଲ ହୋଇଛି । ଆଉ ବହୁତ ରାଜ୍ୟର ଆରଟିଓ ଅଫିସରେ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି ।
ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ବିହାର, ଝାଡଖଣ୍ଡ, ହିଲ୍ଲୀ, ଛତିଶଗଡ ଓ ଗୁଜୁରାଟ ଆଦି ରାଜ୍ୟରେ ହୋଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଚଳିତ ମାସର ପ୍ରଥମ 15ଦିନ ମଧ୍ୟରେ ଦିଲ୍ଲୀରେ 77,320 ଚାଲାଣ କଟାଯାଇଛି । ଯେତେବଳେ କି 16 ରୁ 31ଅଗଷ୍ଟ ମଧ୍ୟରେ 3,59,042 ଚାଲାଣ କଟିଥିଲା । ଏଥିରୁ ସ୍ପଷ୍ଟ ଯେ, ନିୟମ ଲାଗୁ ପରେ ଚାଲାଣ ସଂଖ୍ୟା ପ୍ରାୟ 78.84 ପ୍ରତିଶତ ହ୍ରାସ ପାଇଛି।
କେବଳ ଲାଇସେନ୍ସ କିମ୍ବା ହେଲମେଟ ନୁହେଁ ଏବେ ଲୋକେ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ମଧ୍ୟ ସତର୍କ ହେଉଥିବା ଜଣାପଡିଛି । ଉତ୍ତରପ୍ରଦେଶରେ 1ରୁ 15 ସପ୍ଟେମ୍ବର ଭିତରେ 2 କୋଟି 23 ଲକ୍ଷ ଲୋକ ଗାଡିର ପ୍ରଦୂଷଣ ସ୍ତର ଯାଞ୍ଚ କରି ସାର୍ଟିଫିକେଟ କରିଛନ୍ତି । ଫଳରେ ବୀମା ବିକ୍ରି 2 ଗୁଣା ବୃଦ୍ଧି ପାଇଛି । ବଜାଜ ଆଲିଆଞ୍ଜ ଜେନରାଲ ଇନ୍ସୁରାନ୍ସ (ମୋଟ ବିଜନେସ)ର ସଭାପତି ଓ କଣ୍ଟ୍ରି ହେଡ ଗୁରନୀସ ଖୁରାନା କହିଛନ୍ତି ଯେ, ନୂଆ ନିୟମ ପରେ ଆକସ୍ମିକ ଭାବେ ଗାଡି ବୀମା ବିକ୍ରି ବୃଦ୍ଧି ପାଇଛି । ଏପରିକି ଅନଲାଇନ ବିକ୍ରି ମଧ୍ୟ ବଢିଛି । ତେବେ ଗତ ମାସ ଅପେକ୍ଷା ଚଳିତ ଥର ତୃତୀୟ ପକ୍ଷ ବୀମା ବିକ୍ରି ଡବଲ ହୋଇଥିବା ଜଣାପଡିଛି ।