ହାଇଦ୍ରାବାଦ: ବର୍ବାଦ 2020 । କୋରୋନା ଭାଇରସ ମାନବତା ପାଇଁ ଏକ କଳା ଅଧ୍ୟାୟ । ଅର୍ଥନୀତି ପାଇଁ ଅଭିଶପ୍ତ ବର୍ଷ ‘କୋଡିଏ’ । 4 ଦଶନ୍ଧିରେ ପ୍ରଥମ ଥର ପାଇଁ ଦେଶର ଜିଡିପି ଏତେ ପରିମାଣରେ ଖସିବା ନେଇ ଅନୁମାନ କରିଛି ଜାତୀୟ , ଅନ୍ତର୍ଜାତୀୟ ଏଜେନ୍ସି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପୂର୍ବାନୁମାନ ଅନୁସାରେ 1930ର ଆର୍ଥିକ ମହାମାନ୍ଦାବସ୍ଥା ତୁଳନାରେ ଅଧିକ ବିନାଶକାରୀ । ଯାହାକି ମନରେ ଆହୁରି ଅଧିକ ଭୟ ସଂଚାର କରିଛି ।
ପୂର୍ବରୁ ମାନ୍ଦାରେ ଥିବା ଅର୍ଥବ୍ୟବସ୍ଥା ଉପରେ କୋରୋନା ପ୍ରହାର ସରକାରଙ୍କ ଆର୍ଥିକ ଗଣିତକୁ ସମ୍ପୂର୍ଣ୍ଣ ବିଗାଡିଦେଇଛି । ଆର୍ଥିକ ବର୍ଷ 2019-20 ର ଚତୁର୍ଥ ତ୍ରୟମାସ(ଜାନୁଆରୀରୁ-ମାର୍ଚ୍ଚ)ରୁ ଭାରତୀୟ ଅର୍ଥବ୍ୟବସ୍ଥା ଦିଗହରା ହୋଇପଡିଛି । କେବେ ଦ୍ରୁତ ବେଗରେ ଦୌଡୁଥିବା ଭାରତୀୟ ଅର୍ଥନୀତି ଏବେ ପୁଣି 2008 ପରର ସବୁଠୁ ଧୀମା ସ୍ତରକୁ ଚାଲିଯାଇଛି । ଏଥିଯୋଗୁଁ ଏବର୍ଷ ବଜେଟ ଲକ୍ଷ୍ୟ ହାସଲ ମଧ୍ୟ କାଠିକର ପାଠ । କାରଣ ଅର୍ଥନୈତିକ ବିକାଶ ହାର ଖସିବା ସହ ରାଜସ୍ବ ହ୍ରାସ ଏବଂ ଆର୍ଥିକ ନିଅଣ୍ଟ ବହୁ ପରିମାଣରେ ବଢିଛି । ଏଣୁ ଏବର୍ଷ ଲଷ୍ଟ ଇୟର ଭାବେ ହେବ ଗଣନୀୟ ।
ଆର୍ଥିକ ବର୍ଷ 2021ର ପ୍ରଥମ ତ୍ରୟମାସରେ ଦେଶର ମୋଟ ଘରୋଉ ଉତ୍ପାଦ (ଜିଡିପି) 23.9 ପ୍ରତିଶତ ପର୍ଯ୍ୟନ୍ତ ଖସିଛି ।
ଯାହାକି ଦେଶର ଅର୍ଥନୈତିକ ଇତିହାସରେ ସବୁଠୁ ବଡ ହ୍ରାସ ରହିଛି । କୋରୋନା ପ୍ରଭାବରେ ଦେଶର ଖରାପ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବ ବ୍ୟାଙ୍କ, ୱାର୍କଲେ , ନୋମୁରା ସମେତ ତମାମ ରେଟିଂ ଏଜେନ୍ସି ଚଳିତ ଆର୍ଥିକ ବର୍ଷର ବିକାଶ ହାର ଅନୁମାନକୁ ଖସାଇଛନ୍ତି । କିଛି ରେଟିଂ ଏଜେନ୍ସିଙ୍କ ମତରେ ଦେଶର ସ୍ବତନ୍ତ୍ରତା ପରେ ପ୍ରଥମ ଥର ଭାରତ ଏଭଳି ମାନ୍ଦାବସ୍ଥାରେ ଛନ୍ଦି ହୋଇଥିବା ଦର୍ଶାଇଛନ୍ତି ।
ପୂର୍ବତନ ମୁଖ୍ୟ ଅର୍ଥନୈତକ ପରାମର୍ଶଦାତା (ସିଇଓ) ଅରବିନ୍ଦ ସୁବ୍ରମଣ୍ୟମ କହିଛନ୍ତି କି ଭାରତକୁ ଏହି ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ 10 ଟ୍ରିଲିୟନ ରିଲିଫ ପ୍ୟାକେଜର ଆବଶ୍ୟକତା ରହିଛି । ଉଦ୍ୟୋଗପତି ନାରାୟଣ ମୂର୍ତ୍ତି ଲକଡାଉନକୁ ନେଇ ମତ ରଖିଛନ୍ତି କି, ଯଦି ଆଉ କିଛି ଦିନ ଏଭଳି ଲକଡାଉନ ଜାରି ରହିଥାନ୍ତା, ତେବେ ଲୋକ ରୋଗ ଅପେକ୍ଷା ଭୋକରେ ଜୀବନ ହାରିଥାନ୍ତେ ।
ଚଳିତ ବର୍ଷ ଆର୍ଥିକ ନିଅଣ୍ଟ ଦେଶର ମୋଟ ଘରୋଇ ଉତ୍ପାଦର 7 ପ୍ରତିଶତକୁ ବଢିବ ବୋଲି ଅନୁମାନ କରିଛନ୍ତି ଅର୍ଥନୈତିକ ବ୍ୟାପର ସଚିବ ଓ ବ୍ଲୁମବର୍ଗ । ସରକାର ଅର୍ଥନୈତିକ ଚାପରେ ଗତି କରୁଛନ୍ତି । ଆଉ କୋରୋନା ସଙ୍କଟରୁ ମୁକୁଳିବା ପାଇଁ ସରକାର ପାଣି ଭଳି ଅର୍ଥ ବରାଦ କରିଛନ୍ତି ।
କୋରୋନାର ପ୍ରଭାବ
ବଡ ଝଡର ରୂପ ନେଇଛି କୋରୋନା ସଙ୍କଟ । ବିନିର୍ମାଣ ଠାରୁ ଆରମ୍ଭ କରି ଅଟୋ, ରିୟଲିଷ୍ଟେଟ, ପର୍ଯ୍ୟଟନ, ଫ୍ୟାସନ ସବୁ ଶିଳ୍ପ ବନ୍ଦ କରିଛି ମହାମାରୀ ଚଡକ । ଏଥିଯୋଗୁଁ ପ୍ରାୟ ପୂରା ବର୍ଷ ଦୋକାନ ବଜାରରେ ତାଲା ପଡିଥିଲା ବେଳେ ରପ୍ତାନୀରେ କଟକଣା ଓ ରେଳ ଓ ବିମାନ ସେବା ଅଚଳ ରହିଛି । ସାମାଜିକ ଦୂରତ୍ବ ବଡ ବଡ ଇଭେଣ୍ଟ, କାର୍ଯ୍ୟକ୍ରମ, ସମ୍ମିଳନୀକୁ ରଦ୍ଦ ହୋଇଛି । ପର୍ଯ୍ୟଟନ ଶିଳ୍ପକୁ ଧ୍ବସ୍ତବିଧ୍ବସ୍ତ ହୋଇଥିଲା ବେଳେ ବେଳେ ହୋଟେଲ , ସପିଂ ମଲରେ ତାଲା ଝୁଲୁଛି । ଯାହାକି ଏକ ବୃହତ୍ତ ଚାହିଦାକୁ ଚିତପଟ୍ଟାଙ୍ଗ କରିରଖିଛି । ଆଉ ଏସବୁ ବୋଝ ଉପରେ ନଳିତା ବିଡା ସାଜିଛି କୋଟି କୋଟି ଟଙ୍କାର ସ୍ବାସ୍ଥ୍ୟ ଖର୍ଚ୍ଚ । ଏପରି ସ୍ଥିତରେ ରାଜକୋଷ ସଙ୍କୁଚିତ ହୋଇପଡିଛି । ଏ ସବୁ କେବଳ , ଆମ ଦୈନନ୍ଦିନ ଜୀବନ ଶୈଳୀକୁ ପ୍ରଭାବିତ କରୁଛି ଆଉ ଭବିଷ୍ୟତରେ କରିବା ଏକପ୍ରକାର ନିଶ୍ଚିତ !
ବଢିଲା ବେକାରୀ
ସେଣ୍ଟର ଅଫ ମିନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ)ର ରିପୋର୍ଟ ଅନୁସାରେ ଦେଶରେ ବେକାରୀ ହାର ମାର୍ଚ୍ଚ ମାସରେ 6.7 ପ୍ରତିଶତ ଥିଲା । ଏହା ଏପ୍ରିଲରେ ବୃଦ୍ଧି ପାଇ 26 ପ୍ରତିଶତରେ ପହଞ୍ଚିଲା । ଦେଶବ୍ୟାପି ଲକଡାଉନ ମଧ୍ୟରେ 14 କୋଟି ଲୋକ ଚାକିରି ହରାଇଛନ୍ତି । ଏହା ବ୍ୟତିତ ବହୁ ସଂଖ୍ୟକ ଲୋକଙ୍କ ଦରମା ହ୍ରାସ ମଧ୍ୟ ହୋଇଛି । ଏକ ମିଡିଆ ରିପୋର୍ଟ ଅନୁସାରେ 45 ପ୍ରତିଶତ ଭାରତୀୟ ପରିବାର କହିଛନ୍ତି କି ଗତ ବର୍ଷ ତୁଳନାରେ ଏଥର ଆୟ କମିଛି ।
ବ୍ୟବହାୟୀ ଓ ଉଚ୍ଚ ଆୟ ବର୍ଗ ନିଜ କର୍ମଚାରୀଙ୍କ ଆର୍ଥିକ ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ । ସେହିଭଳି ନିଯୁକ୍ତିଦାତା ସେମାନଙ୍କ କର୍ମଚାରୀଙ୍କ ଦରମା ହ୍ରାସ ନ କରିବାକୁ ଅନୁରୋଧ କରିଥିଲେ ।
ଯୋଗାଣ ଶୃଙ୍ଖଳା ପ୍ରଭାବିତ
ଲକଡାଉନ ଯୋଗୁଁ ଦେଶରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେଲା । ଯାତାୟତ ଠପ ଯୋଗୁଁ ଟ୍ରାନ୍ସପୋର୍ଟ ବନ୍ଦ ରହିଲା । ଯଦିଓ ଦେଶର ଆବଶ୍ୟକ ସେବା ଓ ବସ୍ତୁର ଯୋଗାଣ ହେଉଥିଲା କିନ୍ତୁ କୃଷକ ସେମାନଙ୍କ ଫସଲକୁ ନେଇ ଅନିଶ୍ଚିତତାର ସାମ୍ନା କଲେ । ଅଟୋମୋବାଇଲ, ଷ୍ଟିଲ ଓ ସିମେଣ୍ଟ ଆଦି ଦେଶର ବଡ ବିନିର୍ମାଣ କମ୍ପାନୀ ଅସ୍ଥାୟୀ ଭାବେ ନିଜ ଉତ୍ପାଦନ ଉପରେ ରୋକ ଲଗାଇଲେ । ଯାହାର ସିଧା ପ୍ରଭାର ଲୋକଙ୍କ ଆୟ ଉପରେ ପଡିଛି ।
ମହାଙ୍ଗା ମାଡ
କନ୍ଦାଇଲା ପିଆଜ ଓ ଆଳୁ - ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ପିଆଜ ଓ ଆଳୁ ହଟିବା ପରେ ଏହାର ଦାମ ବେଶ ବୃଦ୍ଧି ପାଇଛି । ଯେଉଁଥିପାଇଁ ସରକାର ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଲେ ।
ବଢିଲା ସୁନା ଓ ରୂପା ଦାମ - କମୋଡିଟି ବଜାର ଅସ୍ଥିର ଯୋଗୁଁ ସୁନା ଦାମ ସର୍ବକାଳୀନ ରେକର୍ଡରେ ପହଞ୍ଚିଲା । ଏପରିକି ଏଥର ସୁନା ଦାମ 10 ଗ୍ରାମ ପ୍ରତି 52 ହଜାର ଟପିଥିଲା ବେଳେ ରୂପା କିଲୋ ପ୍ରତି 75 ହଜାର ଡେଇଁଥିଲା । ଆଉ ଏହାର କାରଣ ହେଉଛି କୋରୋନା ସଙ୍କଟ ମଧ୍ୟରେ ନିବେଶକଙ୍କ ପସନ୍ଦ ପାଲଟିଥିଲା ବହୁମୂଲ୍ୟ ଧାତୁ । ନିବେଶକ ପୁଞ୍ଜି ବଜାର ଅପେକ୍ଷା ସୁନାରେ ଅଧିକ ନିବେଶ ପାଇଁ ଇଚ୍ଛୁକ ହେଉଥିଲେ । ଯାହାର ପ୍ରଭାବ ବିବାହ ଓ ପାର୍ବଣ ଋତୁରେ ଗ୍ରାହକୁ ଭୋଗିବାକୁ ପଡିଛି ।
ପେଟ୍ରୋଲ-ଡିଜେଲ ଦର ବଢିଲା - ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବଢିବା ପରେ ଘରୋଇ ବଜାରର ତେଲ ଦାମ ବଢିଛି । କିଛି ରାଜ୍ୟରେ ଭାଟ ଲାଗୁ ଯୋଗୁଁ ମଧ୍ୟ ପେଟ୍ରୋଲ ଦାମ ରେକର୍ଡ କରିଥିଲା । ଏ ବର୍ଷ ପେଟ୍ରେଲ ଦାମ ଲିଟର ପ୍ରତି 84 ଟଙ୍କା ଡିଜେଲ 80 ଟଙ୍କା ଉପରେ ରହିଛି । ଯାହା ଫଳରେ ଖାଦ୍ୟପଦାର୍ଥ ଦାମ ହୁହୁ ହୋଇ ବଢିଲା ।
ପ୍ରବାସୀ ଶ୍ରମିକଙ୍କ ଉପରେ କୋଭିଡ ମାଡ
ପ୍ରବାସୀ ଫେରିବା ମାମଲାର ଉତ୍ତରପ୍ରଦେଶ ଆଗରେ ରହିଛି । ରାଜ୍ୟକୁ 32.49 ଲକ୍ଷ ପ୍ରବାସୀ ଆସିଛନ୍ତି । ଏହା ପଛକୁ ବିହାର (15 ଲକ୍ଷ) ଓ ପଶ୍ଚିମ ବଙ୍ଗ ( 13.89) ରହିଛି । ଏହି 3 ରାଜ୍ୟର ପ୍ରାୟ 60 ପ୍ରତିଶତ ପ୍ରବାସୀ ଫେରିଛନ୍ତି । ବିଭାଗୀୟ ମନ୍ତ୍ରାଳୟ ଅନୁସାରେ ଲକଡାଉନ ଯୋଗୁଁ ପ୍ରାୟ 1.04 କୋଟି ପ୍ରବାସୀ ନିଜ ନିଜ ଘରକୁ ଫେରିଛନ୍ତି । ତେବେ ପ୍ରବାସୀଙ୍କ ଫେରସ୍ତ ପାଇଁ ରେଳ ମନ୍ତ୍ରାଳୟ ଦେଶର ସମସ୍ତ ଦିଗରେ ଶ୍ରମିକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କଲା । କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି କି ‘‘ ଭାରତୀୟ ରେଲୱେ ଶ୍ରମିକଙ୍କ ସୁବିଧା ପାଇଁ 4611ରୁ ଅଧିକ ଶ୍ରମିକ ଟ୍ରେନ ପରିଚାଳନା କରିଛି । ଯାତ୍ରା ସମୟରେ ଭୋଜନ ଓ ପାଣି ମାଗଣାରେ ଦିଆଯାଇଛି । ଲକଡାଉନ ସମୟରେ ପୂର୍ବତ୍ତର ରାଜ୍ୟର କେବଳ 5 ଲକ୍ଷ ପ୍ରବାସୀଙ୍କ ଘର ବାହୁଡା ହୋଇଛି । ସେ ମଧ୍ୟରେ କେବଳ 4.19 ଲକ୍ଷ ଆସାମରୁ ଥିଲେ । ତେବେ ମିଜୋରାମର କୌଣସି ପ୍ରବାସୀ ଫେରିନାହାନ୍ତି ।
ସେଭ ଲାଇଫ ଫାଉଣ୍ଡେସନର ରିପୋର୍ଟ ଅନୁସାରେ ମାର୍ଚ୍ଚ 25 ରୁ ମେ 31 ମଧ୍ୟରେ ସଡକ ଦୁର୍ଘଟଣାରେ ପାଖାପାଖୀ 198 ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତିତ ବହୁ ମିଡିଆ ରିପୋର୍ଟ ମୁତାବତ ଘର ବାହୁଡା ସମୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ପାଖାପାଖୀ 80 ପ୍ରବାସୀ ପ୍ରାଣ ହରାଇଛନ୍ତି ।
ରପ୍ତାନୀ-ଆମଦାନୀ ହ୍ରାସ
2019 ଏପ୍ରିଲ ମାସ ତୁଳନାରେ 2020 ଏପ୍ରିଲ ମାସରେ ଭାରତର ରପ୍ତାନୀ 36.65 ପ୍ରତିଶତ ଓ ଆମଦାନୀ 47.36 ପ୍ରତିଶତ ଖସିଛି । ରପ୍ତାନୀ ଏପ୍ରିଲରେ 60.28 ପ୍ରତିଶତ, ମେ’ ରେ 36.47 ପ୍ରତିଶତ ଓ ଜୁନ ମାସରେ 12.41 ପ୍ରତିଶତ ହ୍ରାସ ହୋଇଥିଲା । ବାଣିଜ୍ୟ ସରପ୍ଲସ ମଧ୍ୟ 18 ବର୍ଷର ପ୍ରଥମ ଥର ପାଇଁ ଭାରତ ଦେଖିଛି । କୋରୋନା ମହାମାରୀ ମଧ୍ୟରେ ଅଶୋଧିତ ତୈଳ, ସୁନା, ଭଳି ଅନ୍ୟାନ୍ୟ ଶିଳ୍ପଭିତ୍ତିକ ଉତ୍ପାଦର ଘରୋଇ ଚାହିଦା କମିଥିବା ବେଳେ ଆମଦାନୀ କମିଛି । ସେପଟେ ପେଟ୍ରୋଲିୟମ, କପଡା, ଇଞ୍ଜିନିୟରିଂ ସାମଗ୍ରୀ, ରତ୍ନ ଆଭୂଷଣ ରପ୍ତାନୀ କମିଥିବାରୁ ମୋଟ ରପ୍ତାନୀ ବି କମିଛି ।
ବିମାନ ଶିଳ୍ପକୁ କ୍ଷତି
କୋରୋନା ପ୍ରତିହିତ ପାଇଁ ଲଗାଯାଇଥିବା ଲକଡାଉନ ଯୋଗୁଁ ଉଡାଣ ଉପରେ ରୋକ ଲଗାଯାଇଥିଲା । ଏଥିଯୋଗୁଁ ବିମାନ ଶିଳ୍ପ ବିପର୍ଯ୍ୟସ୍ଥ ହୋଇପଡିଛି । ଉଡାଣ ସେବା ବନ୍ଦ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ 24 ରୁ 25 ହଜାର କୋଟି କ୍ଷତି ହୋଇପାରେ ବୋଲି କ୍ରିସିଲ ଏକ ରିପୋର୍ଟରେ ପ୍ରକାଶ କରିଛି ।
ରାଜ୍ୟ ସହିଲା ଜିଏସଟି କ୍ଷତି
କୋରୋନା ପ୍ରଭାବରେ ରାଜସ୍ବ ଆଦାୟ କମିଛି । ଦ୍ରବ୍ୟ ଓ ସେବା କର ସଂଗ୍ରହ ଲଗାତାର ହ୍ରାସ ପାଇଛି । ରାଜ୍ୟ ମଧ୍ୟ ସମାନ ଦଶା ଭୋଗିଥିଲା ବେଳେ ଏପଟେ କେନ୍ଦ୍ର ମଧ୍ୟ ପ୍ରତିଶ୍ରୁତି ମୁତାବକ ଜିଏସଟି କ୍ଷତିପୂରଣ ଦେବାରେ ସକ୍ଷମ ହୋଇନଥିଲା । ଯାହା ଫଳରେ ବହୁ ବିବାଦ ଉପୁଜିଛି । କେନ୍ଦ୍ର ଋଣ କରି ଏବେ ସୁଦ୍ଧା ଅଷ୍ଟମ କିସ୍ତିରେ 6000 କୋଟି ଟଙ୍କା ମଞ୍ଜୁର କରିଛି ।
ଚେପା ପର୍ଯ୍ୟଟନ ଶିଳ୍ପ
କୋଭିଡ -19 ସଂକ୍ରମଣ ଦ୍ବାରା ସର୍ବାଧିକ ପ୍ରଭାବିତ କ୍ଷେତ୍ର ମଧ୍ୟରେ ପର୍ଯ୍ୟଟନ ସେକ୍ଟର ଅନ୍ୟତମ । ଅନ୍ତରାଷ୍ଟ୍ରୀୟ ଉଡାଣ ଠାରୁ ଘରୋଇ ଟ୍ରେନ ସେବା ସବୁ ବନ୍ଦ ରହିଥିଲା ବେଳେ ପର୍ଯ୍ୟଟନ ସ୍ଥାନରେ ତାଲା ଝୁଲିଛି । ଏପଟେ ସାମାଜିକ ଦୂରତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମଧ୍ୟ ଆଉ ପର୍ଯ୍ୟଟନ ସ୍ଥଳକୁ ଯିବାକୁ ମନ କରୁନାହାନ୍ତି । ଫଳରେ ଏହି ସେକ୍ଟରର ଆୟ ଠପ ହୋଇଛି । ଏଥିଯୋଗୁଁ ଏଥିରେ ନିୟୋଜିତ କର୍ମଚାରୀଙ୍କ ଦରମା କମିଛି ।
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ସ୍ପଷ୍ଟ କରିଦେଇଛି ଯେ, 170ଟି ଦେଶରେ ହାରାହାରି ମୁଣ୍ଡପିଛା ଆୟ ହ୍ରାସ ପାଇବାରେ ଲାଗିଛି । ମିଳିତ ଜାତିସଂଘର ଏକ ସଦ୍ୟତମ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସାରା ବିଶ୍ବର 81 ପ୍ରତିଶତ(330 କୋଟି) କର୍ମଜୀବୀଙ୍କୁ ଜୀବିକା ଯୋଗାଉଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଆଂଶିକ କିମ୍ବା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି ।