ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2022-23 ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ବା ଆର୍ଥିକ ସର୍ବେକ୍ଷଣ 2022 ଉପସ୍ଥାପନ କରିବାକୁ ଯାଉଛନ୍ତି । ବଜେଟର ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଗୃହରେ ଉପସ୍ଥାପନ କରାଯାଏ । ଅର୍ଥନୈତିକ ସର୍ବେକ୍ଷଣର ମହତ୍ତ୍ବ ଏବଂ ବଜେଟ୍ ସହିତ ଏହାର ସମ୍ପର୍କ କ'ଣ ଆସନ୍ତୁ ସେ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ।
କ'ଣ ଏହି ଆର୍ଥିକ ସର୍ବେକ୍ଷଣ ?
ଅର୍ଥନୈତିକ ସର୍ଭେ 2022ରେ ଗତ ଏକ ବର୍ଷ ମଧ୍ୟରେ ଅର୍ଥନୀତିର ସ୍ଥିତି ଉପରେ ଏକ ବିସ୍ତୃତ ରିପୋର୍ଟ ଅନ୍ତର୍ଭୁକ୍ତ ହୋଇଥାଏ । ଯେଉଁଥିରେ ଅର୍ଥନୀତି ସହ ଜଡିତ ପ୍ରମୁଖ ଆହ୍ବାନଗୁଡିକ ଏବଂ ସେଗୁଡିକ କିପରି ମୁକାବିଲା କରାଯିବ ସେ ବିଷୟରେ ଉଲ୍ଲେଖ କରାଯାଏ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ଅର୍ଥନୈତିକ ବ୍ୟାପାର ବିଭାଗର ଅର୍ଥ ବିଭାଗ ଦ୍ବାରା ଏହି ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଏ ।
1950-51ରେ ଉପସ୍ଥାପିତ ହୋଇଥିଲା ପ୍ରଥମ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ:-
1950-51 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଥିଲା । ପ୍ରଥମେ କେନ୍ଦ୍ର ବଜେଟ୍ ସହିତ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଥିଲା । କିନ୍ତୁ 1964ରୁ କେନ୍ଦ୍ର ବଜେଟର ଗୋଟିଏ ଦିନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଏଥିସହିତ, ଗତ ବର୍ଷ ଶୁକ୍ରବାର (ଜାନୁୟାରୀ 29) ରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଥିଲା ଏବଂ ଜାନୁଆରୀ 30 ଏବଂ 31 ରେ ସପ୍ତାହ ଶେଷ ପାଇଁ ସଂସଦ ବନ୍ଦ ରହିଥିଲା । ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବା ପରେ ଏହାକୁ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଅନୁମୋଦନ କରାଯାଏ ।
ଗତ କିଛି ବର୍ଷ ମଧ୍ୟରେ ଅର୍ଥନୈତିକ ସର୍ଭେ ଦୁଇଟି ପର୍ଯ୍ୟାୟ ବା ଭଲ୍ୟୁମରେ ଉପସ୍ଥାପିତ ହେଉଛି । ଭଲ୍ୟୁମ୍ 1 ରେ ଭାରତ ସମ୍ମୁଖୀନ ହେଉଥିବା ଆର୍ଥିକ ଚ୍ୟାଲେଞ୍ଜଗୁଡିକର ଅନୁସନ୍ଧାନ ଏବଂ ବିଶ୍ଳେଷଣ ଉପରେ ଧ୍ୟାନ ଦିଆଯାଏ । ସେପଟେ ଭଲ୍ୟୁମ୍ 2 ରେ ଆର୍ଥିକ ବର୍ଷର ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପିତ ହୋଇଥାଏ, ଯାହା ଅର୍ଥନୀତିର ସମସ୍ତ ପ୍ରମୁଖ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିଥାଏ ।
ଆର୍ଥିକ ସର୍ବେକ୍ଷଣର ମହତ୍ବ କ'ଣ ?
ଅର୍ଥନୈତିକ ସର୍ବେକ୍ଷଣର ଗୁରୁତ୍ବ ହେଉଛି ଏହା ଦେଶର ଆର୍ଥିକ ସ୍ଥିତିକୁ ଦର୍ଶାଇଥାଏ । ଅର୍ଥନୈତିକ ସର୍ବେକ୍ଷଣରେ ଅର୍ଥ ଯୋଗାଣ, ଭିତ୍ତିଭୂମି, କୃଷି ଏବଂ ଶିଳ୍ପ ଉତ୍ପାଦନ, ନିଯୁକ୍ତି, ମୂଲ୍ୟ, ରପ୍ତାନୀ, ଆମଦାନୀ, ବୈଦେଶିକ ମୁଦ୍ରା ଭଣ୍ଡାର ତଥା ଅନ୍ୟାନ୍ୟ ପ୍ରଯୁଜ୍ୟ ଅର୍ଥନୈତିକ କାରଣଗୁଡିକ ବିଶ୍ଳେଷଣ କରାଯାଇଥାଏ । ଏହି ଡକ୍ୟୁମେଣ୍ଟ ହେଉଛି ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ଅର୍ଥନୀତିର ପ୍ରମୁଖ ଚିନ୍ତାଧାରା ଉପରେ ମଧ୍ୟ ଗୁରୁତ୍ବ ଦେଇଥାଏ । ଅର୍ଥନୈତିକ ସର୍ବେକ୍ଷଣର ତଥ୍ୟ ଏବଂ ବିଶ୍ଳେଷଣ ସାଧାରଣତଃ କେନ୍ଦ୍ର ବଜେଟକୁ ଏକ ନୀତିଗତ ଆଭିମୁଖ୍ୟ ପ୍ରଦାନ କରିଥାଏ ।
ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରିବା କ'ଣ ନିହାତି ଆବଶ୍ୟକ ?
ଗୃହରେ ଏହି ରିପୋର୍ଟ ଉପସ୍ଥାପନ କରିବା ଜରୁରୀ ନୁହେଁ, ଏଥିପାଇଁ ସରକାର କୌଣସି ପ୍ରକାରର ସାମ୍ବିଧାନିକ ନିୟମରେ ବାନ୍ଧି ମଧ୍ୟ ହୋଇନାହାଁନ୍ତି । ଏହି ଡକ୍ୟୁମେଣ୍ଟରେ ତାଲିକାଭୁକ୍ତ ହୋଇଥିବା ପରାମର୍ଶଗୁଡ଼ିକୁ ବାଛିବାକୁ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ସରକାର ଚାହୁଁଛନ୍ତି କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ଉପରେ ନିର୍ଭର କରେ । ଏହା ବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ଅର୍ଥନୈତିକ ସର୍ଭେ ଦାଖଲ କରିବାକୁ ବାଧ୍ୟ ନୁହଁନ୍ତି । ଏହା ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ଉପସ୍ଥାପିତ କରାଯାଏ ।
୨ଟି ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଏ ଏହି ରିପୋର୍ଟ:-
2015 ଆର୍ଥିକ ବର୍ଷରେ ଅର୍ଥନୈତିକ ସର୍ବେକ୍ଷଣକୁ ୨ ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଭାଗରେ ଅର୍ଥନୀତି ବିଷୟରେ ଉଲ୍ଲେଖ କରାଯାଏ, ଯାହା ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପନ କରାଯାଏ । 2017 ଫେବୃଆରୀ ପରେ, ବଜେଟ୍ ଉପସ୍ଥାପନ କରିବାର ସମୟ ପରିବର୍ତ୍ତନ କରାଯାଇଛି । ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ନୀତିଗତ ନିଷ୍ପତ୍ତି, ଅର୍ଥନୈତିକ ତଥ୍ୟ, ଅର୍ଥନୈତିକ ଅନୁସନ୍ଧାନ ଏବଂ ଅର୍ଥନୈତିକ ଧାରାର ବିଶ୍ଳେଷଣକୁ ସାମିଲ କରାଯାଇଛି ।
ସାଧାରଣତଃ ବିଶ୍ବାସ କରାଯାଏ ଯେ ଅର୍ଥନୈତିକ ସର୍ଭେ ମଧ୍ୟ ବଜେଟ୍ ପାଇଁ ଏକ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିଥାଏ । ଚଳିତ ବର୍ଷର ଅର୍ଥନୈତିକ ସର୍ଭେକୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ପ୍ରସ୍ତୁତ କରିଛନ୍ତି । କାରଣ ନୂତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ବରନଙ୍କୁ ଚଳିତ ଜାନୁଆରୀ ମାସ 28 ତାରିଖ ତଥା ବଜେଟ ଉପସ୍ଥାପନର ୨ ଦିନ ପୂର୍ବରୁ ନିଯୁକ୍ତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ