ଶ୍ରୀନଗର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 152ତମ ଜୟନ୍ତୀ ସାରା ଦେଶ ପାଳୁଥିବାବେଳେ ଲଦାଖରେ ଭାରତୀୟ ସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଆଜି (ଶନିବାର) ଲଦାଖର ଲେହରେ ବିଶ୍ବର ସର୍ବବୃହତ ଖଦି ନର୍ମିତ ତ୍ରିରଙ୍ଗା ପତାକା ପ୍ରଦର୍ଶିତ କରିଛି ସେନା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଲଦାଖ ଉପରାଜ୍ୟପାଳ ଆର.କେ ମଥୁର ଉଦଘାଟନ କରିଥିବାବେଳେ ସ୍ଥଳସେନା ମୁଖ୍ୟ ମେଜର ଜେନେରାଲ ଏମ ଏନ ନାରଓ୍ବେଣେ ମଧ୍ୟ ସାମିଲ ହୋଇଥିଲେ ।
ଏହି ତ୍ରିରଙ୍ଗାର ଲମ୍ବ 225 ଫୁଟ ଏବଂ ପ୍ରସ୍ଥ 150 ଫୁଟ, ଓଜନ ପ୍ରାୟ 1000 କିଲୋଗ୍ରାମ ଅର୍ଥାତ ଏକ ଟନ ରହିଛି । ଏହାକୁ ଭାରତୀୟ ସେନାର 57 ଇଞ୍ଜିନିୟର ରେଜିମେଣ୍ଟ ଦ୍ବାରା ପ୍ରଦର୍ଶିତ କରାଯାଇଛି । ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (KVIC) ଦ୍ବାରା ଏହି ବିଶାଳ ପତାକାକୁ ସ୍ବତନ୍ତ୍ର ଭାବେ ଖଦିରେ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ବିଶାଳ ତ୍ରିରଙ୍ଗାକୁ ବିଶ୍ବର ପ୍ରମୁଖ ଉଚ୍ଚତମ ସୀମା ମଧ୍ୟରେ ଅନ୍ୟତମ ଲଦାଖର ଲେହରେ ପ୍ରଦର୍ଶିତ କରାଯିବା ପାଇଁ ପ୍ରାୟ 2 ଶହ ଭାରତୀୟ ଯବାନ ବେସ ପରିଶ୍ରମ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ତ୍ରିରଙ୍ଗକୁ ପ୍ରଦର୍ଶିତ କରାଯିବାପରେ ବାୟୁସେନାର ହେଲିକପ୍ଟର ଗୁଡିକ ତ୍ରିରଙ୍ଗା ଉପରେ ଉଡାଣ ଭରି ଶକ୍ତି ପ୍ରଦର୍ଶନ କରିବା ସହ ସମ୍ମାନ ପ୍ରଦର୍ଶନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଲଦାଖ ଉପରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଦୁଇ ଦିନିଆ ଲଦାଖ ଗସ୍ତରେ ଥିବା ସ୍ଥଳସେନା ମୁଖ୍ୟ ମେଜର ଜେନେରାଲ ମନୋଜ ମୁକୁନ୍ଦ ନାରଓ୍ବେଣେଙ୍କ ସମେତ ଅନ୍ୟ ବରିଷ୍ଠ ସେନାଧିକାରୀମାନେ ଉପସ୍ଥିତ ରହିଥିଲେ। ଭାରତୀୟ ଯବାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ