ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ । ଦିଲ୍ଲୀର ଦାବ୍ରି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି । ମହିଳାଙ୍କ ମୁଣ୍ଡରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ୪୨ ବର୍ଷୀୟ ରେଣୁ ଗୋୟଲ ଏବଂ ତାଙ୍କୁ ଆଶିଷ ନାମକ ୨୩ ବର୍ଷୀୟ ଯୁବକ ଗୁଳି କରିଛି । ତେବେ ରେଣୁକୁ ହତ୍ୟା କରିବା ପରେ ଆଶିଷ ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଥିବାର ଏବେ ସୂଚନା ମିଳିଛି ।
ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ହତ୍ୟାକାଣ୍ଡ ଘଟିଥିଲା । ରେଣୁଙ୍କୁ ତାଙ୍କରି ଘର ସାମ୍ନାରେ ଆଶିଷ ଏକ ଦେଶୀ ପିସ୍ତଲରେ ଗୁଳି କରିଥିଲା ଏବଂ ସଙ୍ଗେ ସଙ୍ଗେ ସେଠାରୁ ଫେରାର୍ ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଧରିବାକୁ ତା' ଘରେ ପହଞ୍ଚିବା ବେଳକୁ ଛାତ ଉପରେ ଆଶିଷର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା । ଅଭିଯୁକ୍ତ ନିଜକୁ ଗୁଳି କରିଦେଇଥିଲା । ତେବେ ପୋଲିସର ଛାନଭିନରୁ ଜଣାପଡିଛି ଯେ, ରେଣୁ ଓ ଆଶିଷ ପରସ୍ପରକୁ ଜାଣିଥଲେ । କିଛି ବର୍ଷ ହେବ ଦୁହେଁ ଏକାଠି ଜିମ୍ ଯାଉଥିଲେ ଓ ସେଇଠୁ ହିଁ ସେମାନଙ୍କ ଭିତରେ ଚିହ୍ନା ପରିଚୟ ହୋଇଥିଲା ।
ରେଣୁ ଗୃହିଣୀ ଥିଲେ । ନିଜର ତିନି ସନ୍ତାନ ଓ ସ୍ବାମୀଙ୍କ ସହ ବସବାସ କରୁଥିଲେ । ଦ୍ବାରକା ଡିସିପି ହର୍ଷବର୍ଦ୍ଧନ ଘଟଣା ସମ୍ପର୍କରେ କହିଛନ୍ତି ଯେ, ଜଣେ ୪୨ ବର୍ଷୀୟା ମହିଳାଙ୍କୁ ଗୁଳି କରାଯାଇଥିବା ନେଇ ରାତି ପାଖାପାଖି ୮ଟା ୪୫ ମିନିଟ୍ ସମୟରେ ଖବର ମିଳିଥିଲା । ଅତି ପାଖରୁ ମହିଳାଙ୍କ ମୁଣ୍ଡକୁ ଗୁଳି କରାଯାଇଛି । ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ହେଲେ ପୋଲିସ ପ୍ରତିଟି ଦିଗରୁ ମାମଲାର ତଦନ୍ତ ଜାରି ରଖିଛି ।
ଏହି ମାମଲାରେ ରାବ୍ରି ପୋଲିସ ବ୍ୟତୀତ ଅପରେସନ ସେଲର ସ୍ପେଶାଲ ଷ୍ଟାଫ, ଏଟିଏସ ତଦନ୍ତ କରୁଛନ୍ତି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଯାହାଦ୍ବାରା ଜଣାପଡିବ ଯେ, ଆକ୍ରମଣକାରୀ କେମିତି ଆସି ଏହି ହତ୍ୟାକାଣ୍ଡ ଘଟାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ