ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ସୋମବାର ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହି ଅବସରରେ ଦେଶରେ ଲାଗୁ ଟୀକାକରଣ ନୀତିରେ ପରିବର୍ତ୍ତନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁଯାୟୀ, ପୂର୍ବ ଭଳି କେଦ୍ର କିଣିବ ଟିକା ଆଉ ରାଜ୍ୟ କରିବ କେବଳ ଟୀକାକରଣ । ରାଜ୍ୟକୁ ଆଉ ଟିକା କିଣିବାକୁ ପଡିବନାହିଁ । ଟିକା କିଣିବା ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେଉଥିଲେ ରାଜ୍ୟ ସରକାର । ଏହା ଉପରେ ରାଜନୀତି ମଧ୍ୟ ଜୋର ଧରିଥିଲା ।
ସୋମବାର ନିଆଯାଇଥିବା ନିଷ୍ପତ୍ତି କ୍ରମେ ରାଜ୍ୟ ପାଖରେ ଥିବା ଟୀକାକରଣ ସହ ଜଡିତ 25 ପ୍ରତିଶତ କାର୍ଯ୍ୟର ଦାୟିତ୍ବ ଏବେ କେନ୍ଦ୍ର ସରକାର ଉଠାଇବେ । ଆସନ୍ତା 2 ସପ୍ତାହ ମଧ୍ୟରେ ଲାଗୁ ହେବ ଏହି ବ୍ୟବସ୍ଥା । ତେବେ କୋରୋନା ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଅଚାନକ କଣ ପାଇଁ ବଦଳିଲା କେନ୍ଦ୍ରର ଟୀକାକରଣ ନୀତି ? ଚାପରେ ଆସି ଭ୍ୟାକ୍ସିନ ନୀତି ପରିବର୍ତ୍ତନ ପାଇଁ ବାଧ୍ୟ ହେଲେ କି ସରକାର ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା କେନ୍ଦ୍ର ସରକାରଙ୍କ ଭ୍ୟାକ୍ସିନ ନୀତିରେ ୟୁଟର୍ଣ୍ଣ କୁହାଯାଇପାରେ । ଟିକା କ୍ରୟକୁ ନେଇ ତମାମ ରାଜ୍ୟସରକାର ହାତ ଟେକିଦେଇଥିବାବେଳେ ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଚାପରେ ଥିବା ସଙ୍କେତ ଦେଉଛି ।
କେନ୍ଦ୍ର ଟିକା କିଣି ରାଜ୍ୟକୁ ବାଣ୍ଟୁ ବୋଲି କ୍ରମାଗତ ଚାପ ବୃଦ୍ଧି ପାଉଥିବାବେଳେ ଏପଟେ ସୁପ୍ରିମକୋର୍ଟ ଆପଣାଇଥିଲେ କଡା ଆଭିମୁଖ୍ୟ । ଭ୍ୟାକ୍ସିନ ନୀତି ଉପରେ ପ୍ରଶ୍ନ ଉଠାଇଥିଲେ ସୁପ୍ରିମକୋର୍ଟ । କାରଣ ଟୀକାକରଣରେ ଦେଖାଦେଉଥିଲା ଅନିୟମିତତା । କେଉଁଠି ମାଗଣାରେ ଟିକା ମିଳୁଥିଲା ତ ଆଉ କେଉଁଠି ଏହା ପାଇଁ ଦେବାକୁ ପଡୁଥିଲା ମୂଲ୍ୟ ।
ଅନେକ ରାଜ୍ୟରେ ଟିକାର ଅଭାବ ନେଇ ସାମ୍ନାକୁ ଆସୁଥିଲା ଖବର । ଏହାରି ମଧ୍ୟରେ ଟିକା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ସୁପ୍ରିମକୋର୍ଟ । କେନ୍ଦ୍ରକୁ ନିର୍ଦ୍ଦେଶ ଜାରି କରି କୋଭିଡ ଟୀକାକରଣ ନୀତି ସହ ଜଡିତ ଦସ୍ତାବିଜ ଓ ଫାଇଲ ରେକର୍ଡ ସାମ୍ନାରେ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।
କୋରୋନାର ସମସ୍ତ ଟିକାର କ୍ରୟ ରେକର୍ଡ ସହ କେବେ କେବେ ଟିକା କିଣାଯାଇଥିଲା ଏହାର ରିପୋର୍ଟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ମାଗଣାରେ ଟିକା ଲଗାଯାଉଛି କି ନାହିଁ, ରାଜ୍ୟକୁ ମଧ୍ୟ ପ୍ରଶ୍ନ କରିଥିଲେ କୋର୍ଟ ।
ଅନେକ ଦିନ ପର୍ଯ୍ୟନ୍ତ ରାଜନୀତି ଆଉ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଶେଷରେ ସାମ୍ନାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଭ୍ୟାକ୍ସିନ ଉପରେ ପୁରୁଣା ନୀତି ଚାଲିବ ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ । 21 ଜୁନରୁ ଦେଶର ପ୍ରତ୍ୟେକ ରାଜ୍ୟରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମିଳିବ ମାଗଣା ଟିକା । କୌଣସି ରାଜ୍ୟକୁ ଭ୍ୟାକ୍ସିନ ଉପରେ କିଛି ବି ଖର୍ଚ୍ଚ କରିବାକୁପଡିବ ନାହିଁ ।
ଏବେ କେନ୍ଦ୍ର ଜରିଆରେ ହେବ ଟିକା କ୍ରୟ । ଖର୍ଚ୍ଚ ବି ବହନ କରିବେ କେନ୍ଦ୍ର ସରକାର । ହେଲେ 25 ପ୍ରତିଶତ ଅଂଶ ପ୍ରାଇଭେଟ ହସ୍ପିଟାଲକୁ ପୂର୍ବଭଳି ମିଳିବ । ମାତ୍ର ସେମାନେ ମଧ୍ୟ ଗୋଟିଏ ଡୋଜ ଉପରେ 150 ଟଙ୍କା ହିଁ ସର୍ଭିସ ଚାର୍ଜ ନେଇପାରିବେ । ଏବେ ରାଜ୍ୟକୁ ଭ୍ୟାକ୍ସିନର କ୍ରୟ ଓ ଖର୍ଚ୍ଚ ଉପରେ ନୁହେଁ, କେବଳ ଟୀକାକରଣ ଉପରେ ଧ୍ୟାନ ଦେବାକୁପଡିବ । ଏପ୍ରିଲ ମାସ ପର୍ଯ୍ୟନ୍ତ ଏହି ନୀତି ଚାଲିଆସୁଥିଲା । ହେଲେ ଏହି ନୀତି ପରେ ବଦଳାଯାଇଥିଲା ଆଉ ଏଥିରେ ରାଜ୍ୟଗୁଡିକର ଥିଲା ବଜ ଭୁଲ ।
ଜାନୁଆରୀ 16ରୁ ଏପ୍ରିଲ ପର୍ଯ୍ୟନ୍ତ କେନ୍ଦ୍ର ତତ୍ତ୍ବାବଧାନରେ ଚାଲିଥିଲା ଟୀକାକରଣ କାର୍ଯ୍ୟ । ଆଗକୁ ବଢୁଥିଲା ଏହି ଅଭିଯାନ । ଏହାରି ମଧ୍ୟରେ ମେ ପହିଲାରୁ ରାଜ୍ୟଗୁଡିକର ଇଚ୍ଛା କ୍ରମେ ଦିଆଯାଇଥିଲା 25 ପ୍ରତିଶତ କାମ । ଏତେ ବଡ କାର୍ଯ୍ୟକୁ କରିବା ପାଇଁ କେତେ କଷ୍ଟର ସାମ୍ନା କରିବାକୁ ପଡେ ତାହା ରାଜ୍ୟ ସରକାରଙ୍କୁ ହୃଦୟଙ୍ଗମ ହୋଇଥିଲା । ଆଉ 2 ସପ୍ତାହ ନ ହେଉଣୁ କିଛି ରାଜ୍ୟ କହିବା ଆରମ୍ଭ କରିଥିଲେ ଯେ ପୁର୍ବରୁ ଥିବା ବ୍ୟବସ୍ଥା ଠିକ ଥିଲା । ରାଜ୍ୟଗୁଡିକୁ ଜଣାପଡିଯାଇଥିଲା ଯେ ନିଜେ ଟିକା କିଣିବା ଏତେ ସହଜ ନୁହେଁ ।
ଶେଷରେ ଏହି ସମସ୍ୟାର ଅନ୍ତ ଜରୁରୀ ହୋଇପଡିଲା । ପ୍ରତ୍ୟେକ ରାଜ୍ୟକୁ କିଛି ସପ୍ତାହ ପୂର୍ବରୁ ଜଣାଇଦିଆଯିବ କି କାହାକୁ କେତେ ଡୋଜ ଟିକା ମିଳିବ । ଏଭଳି ମାମଲାରେ ରାଜନୀତି ହେବା ଉଚିତ ନୁହେଁ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହୃଦୟଙ୍ଗମ କଲେ । ଯାହାର ଫଳ ସ୍ବରୂପ ମାଗଣା ଟୀକାକରଣ ଘୋଷଣା ପରେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ଧନ୍ୟବାଦ ।