କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇ ସୌମେନ୍ଦ୍ର ଅଧିକାରୀଙ୍କ ନାଁରେ ସାଙ୍ଗାତିକ ଅଭିଯୋଗ । କାନ୍ତି ମୁନସିପାଲଟିକୁ ବାତ୍ୟା ୟସ ପାଇଁ ଆସିଥିବା ରିଲିଫ ସାମଗ୍ରୀ ହଡପ କରିଥିବା ନେଇ ଦୁଇଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବାତ୍ୟା ୟସ ପାଇଁ କାନ୍ତି ମୁନସିପାଲଟିକୁ ଆସିଥିବା ରିଲିଫ ସାମଗ୍ରୀ ହଡପ ହୋଇଥିବା ଅଭିଯୋଗ ହୋଇଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇ ତଥା ପୂର୍ବତନ ମୁନସିପାଲଟି ମୁଖ୍ୟ ସୌମେନ୍ଦ୍ର ଅଧିକାରୀ ନାଁରେ ଏହି ଅଭିଯୋଗ ହୋଇଛି । ବାତ୍ୟା ୟସ ଯୋଗୁଁ ରାଜ୍ୟରେ ଶହ ଶହ ନଦୀ ବନ୍ଧ କ୍ଷତିଗ୍ରସ୍ତ ହୋଇଛି । ଏହାର କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଜଳସମ୍ପଦ ବିଭାଗରେ ହୋଇଥିବା ବିଭିନ୍ନ ଦୁର୍ନୀତି ସାମ୍ନାକୁ ଆସିଛି । ଜଳ ସମ୍ପଦ ବିଭାଗରେ ଜଣଙ୍କୁ ଚାକିରୀ କରେଇଦେବା ନେଇ 2 ଲକ୍ଷ ଠକିଥିବା ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ସହଯୋଗୀ ଜଣକ ହେଲେ ରାଖେଲ ବେରା ।
ଶୁଭେନ୍ଦୁ ଓ ସୌମେନ୍ଦ୍ର ତାଙ୍କ ନାଁରେ ହୋଇଥିବା ଅଭିଯୋଗ ନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ସହଯୋଗୀ ରାଖେଲ ବେରାଙ୍କୁ ନେଇ ଶୁଭେନ୍ଦୁ କହିଛନ୍ତି ରାଖେଲ ମୋର ସହଯୋଗୀ ବୋଲି କିଛି ପ୍ରମାଣ ଅଛି କି, ମୁଁ ଏହି ବିଷୟରେ କିଛି କହିବାକୁ ଚାହୁଁନାହିଁ ବୋଲି କହିଛନ୍ତି ଶୁଭେନ୍ଦୁ ।
ଅନ୍ୟପଟେ ସ୍ଥାନୀୟ ଟିଏମସି ନେତା ଓ ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଳ ଗିରି କହିଛନ୍ତି ଶୁଭେନ୍ଦୁ ଅଧିକାରୀ ଜଳସମ୍ପଦ ମନ୍ତ୍ରୀ ଥିବାବେଳେ ରାଖେଲ ବେରାଙ୍କ ନାଁରେ ଏହି ଅଭିଯୋଗ ଆସିଥିଲା । ପୋଲିସ ତଦନ୍ତ କରିବାପରେ ରାଖେଲଙ୍କୁ ଗିରଫ କରିଥିଲା । ସେ ଶୁଭେନ୍ଦୁଙ୍କ ସହଯୋଗୀ ବୋଲି ଜଣାପଡିଛି । ଯଦି ସେମାନେ ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି ଆଇନ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ