ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଭାରତ ଓ ୟୁକେର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭର୍ଚ୍ଚୁଆଲ ସମ୍ମିଳନୀ । ଏହି ବୈଠକରେ ମୋଦି ଓ ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପାରସ୍ପରିକ ସ୍ବାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ ।
2004ରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ଏକ ରଣନୈତିକ ଭାଗିଦାରୀ ଚାଲିଆସୁଛି । ଏହି ସମ୍ମିଳନୀ ନିୟମିତ ଉଚ୍ଚ ସ୍ତରୀୟ ବିନିମୟ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧିରେ ସହାୟକ ହେବ । ଉଭୟ ଦେଶ ମଧ୍ୟରେ ବହୁମୁଖୀ ରଣନୈତିକ ସମ୍ପର୍କକୁ ବୃଦ୍ଧି କରିବା ଏବଂ ପାରସ୍ପରିକ ସ୍ବାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ବପୂର୍ଣ୍ଣ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ । ଉଭୟ ନେତା କୋଭିଡ-19 ସହଯୋଗ ଏବଂ ମହାମାରୀର ମୁକାବିଲା ପାଇଁ ବିଶ୍ବସ୍ତରୀୟ ଉଦ୍ୟମ ଉପରେ ମଧ୍ୟ ଆଲୋଚନା କରିବେ ।
ଏହି ଶିଖର ସମ୍ମିଳନୀ ଅବସରରେ ଏକ ବିସ୍ତୃତ ରୋଡମ୍ୟାପ୍ 2030 ଆରମ୍ଭ ହେବ, ଯାହା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ତଥା ବାଣିଜ୍ୟ ଓ ସମୃଦ୍ଧି, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ-ବ୍ରିଟେନ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପଥ ପରିଷ୍କାର କରିବ ବୋଲି ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ