ନୂଆଦିଲ୍ଲୀ: ୬ ଦିନିଆ କର୍ଣ୍ଣାଟକ ଗସ୍ତ ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଗତ ୧୬ ତାରିଖରୁ ଆରମ୍ଭ କରିଥିବା ୬ ଦିନିଆ କର୍ଣ୍ଣାଟକର ଯାତ୍ରା ଶେଷ କରି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏବଂ ତାଙ୍କ ପତ୍ନୀ ଏମ.ଉଶା ଆଜି ଦିଲ୍ଲୀ ଫେରିଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନରେ କର୍ଣ୍ଣାଟକର ହବଲିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଉପରାଷ୍ଟ୍ରପତି ଦମ୍ପତି । ଗତ ୧୬ ତାରିଖରେ ସେ କର୍ଣ୍ଣାଟକ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ।
ଆଜି ଉପରାଷ୍ଟ୍ରପତି ପତ୍ନୀଙ୍କ ସହ ବିଜୟନଗର ଜିଲ୍ଲାର ହୋସାପେଟରେ ତୁଙ୍ଗଭଦ୍ର ଜଳଭଣ୍ଡାର ଏବଂ ଐତିହାସିକ ହାମ୍ପି ପରିଦର୍ଶନ କରିଥିଲେ । ପରେ ପୂର୍ବାହ୍ନରେ ହବଲିରେ ପହଞ୍ଚିଥିଲେ । ସେଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାଶବରାଜ ବୋମାଇ ଉପରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରିଥିଲେ । ସ୍ବାଗତ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଶଙ୍କରା ପାଟିଲ ମୁନେନାକୋପ୍ପା , ପୋଲିସ କମିଶନର ଓ ସ୍ଥାନୀୟ ଜିଲ୍ଲାପାଳ ନୀତେଶ କେ ପାଟିଲ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।
ଉପରାଷ୍ଟ୍ରପତି ଏହି ୬ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଏକ ଘରୋଇ ହୋଟେଲରେ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କ ବଡଭାଇ ଗୋବିନ୍ଦ ଯୋଶୀଙ୍କ ପୁଅ ଅଭୟ ଯୋଶୀଙ୍କ ବିବାହ ସମାରୋହରେ ଯୋଗ ଦେଇଥିଲେ । ତେବେ ଆଜି ସେ ତାଙ୍କର ୬ ଦିନିଆ ଗସ୍ତ ଶେଷ କରି ରାଜଧାନୀ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ