ଶ୍ରୀନଗର: ପ୍ରଧାନମନ୍ତ୍ରୀ ମୋଦି ଏପ୍ରିଲ ୨୪ ତାରିଖରେ ଜମ୍ମୁ-କାଶ୍ମୀର ଗସ୍ତ କରିଥିଲେ । ଗସ୍ତ ପୂର୍ବରୁ ବିଷ୍ଣା ସହରର ପାଲିଠାରେ ଆୟୋଜିତ ହୋଇଥିବା ମୋଦିଙ୍କ ରାଲିସ୍ଥଳ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ବଜ୍ରପାତ ଯୋଗୁଁ ବିସ୍ଫୋରଣ ଘଟିଥିବାର ସେହି ସମୟରେ ଅନୁମାନ କରାଯାଉଥିଲା । ହେଲେ ବିସ୍ଫୋରଣ ସ୍ଥଳରୁ ମାଟି ନେଇ ଫରେନ୍ସିକ ପରୀକ୍ଷା କରିବା ପରେ ସେଥିରେ RDX ଏବଂ ନାଇଟ୍ରେଟ(nitrate) ଥିବାର ଏବେ ଖୁଲାସା ହୋଇଛି । କୌଣସି ଡ୍ରୋନ ସାହାଯ୍ୟରେ ଏହି RDX(ଆରଡିଏକ୍ସ) ପକାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ:Blast In Jammu: ମୋଦିଙ୍କ ଗସ୍ତ ପୂର୍ବରୁ ପୁଣି ବିସ୍ଫୋରଣ
ବିସ୍ଫୋରଣ ଘଟିବା ସମୟରେ ପ୍ରଥମେ ସ୍ଥାନୀୟ ପୋଲିସ ଏହାକୁ ବଜ୍ରପାତ ନଚେତ୍ ଉଲକାପାତ ବୋଲି ସନ୍ଦେହ କରିଥିଲା । ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୪ରେ ମୋଦିଙ୍କ ଜମ୍ମୁକାଶ୍ମୀର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ସେଦିନ ସକାଳୁ ଜମ୍ମୁରେ ଲଲିଆନା ଗ୍ରାମରେ ଏକ ଖୋଲା ପଡ଼ିଆରେ ଏହି ବିସ୍ଫୋରଣ ହୋଇଥିଲା । ଏହାଯୋଗୁଁ ଘଟଣାସ୍ଥଳରେ ଦେଢଫୁଟର ଗର୍ତ୍ତ ସୃଷ୍ଟି ହୋଇଥିଲା । ସେଦିନ ପ୍ରଧାନମନ୍ତ୍ରୀ ପାଲିଠାରେ ଆୟୋଜିତ ସମାରୋହରେ ଦେଶବ୍ୟାପୀ ଗ୍ରାମସଭାକୁ ସମ୍ବୋଧିତ କରିଥିଲେ । ଏଥିସହ ସେଠାକାର ବିକାଶ ପାଇଁ ବାନିହାଲ-କ୍ବାଜିଗଣ୍ତ ଟନେଲ, ଦିଲ୍ଲୀ-ଅମୃତସର-କତ୍ରା ଏକ୍ସପ୍ରେସୱେ ପ୍ରମୁଖ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ।