ମମ୍ବାଇ: ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ । ଆଜି ଉଦ୍ଧବଙ୍କ ସରକାରୀ ବାସଭବନରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତକାର ଓ ଆଲୋଚନା ମଧ୍ୟ ହୋଇଛି । ଉଦ୍ଧବଙ୍କ ନିମନ୍ତ୍ରଣ କ୍ରମେ କେସିଆର ମୁମ୍ବାଇ ଗସ୍ତ କରିଥିବାବେଳେ ଜାତୀୟ ସ୍ତରରେ ବିଜେପି ବିରୋଧୀ ଆଞ୍ଚଳିକ ଦଳଙ୍କୁ ନେଇ ମିଳିତ ମଞ୍ଚ ଗଠନ ଦିଗରେ ଆଜି ଆଲୋଚନା ମଧ୍ୟ ହୋଇଥିବା ସୂଚନା ରହିଛି ।
ଗତ କିଛିଦିନ ତଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କେ.ସି.ଆରଙ୍କ ସହ ଫୋନରେ କଥା ହେବା ସହ ମୁମ୍ବାଇ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ଆଜି କେସିଆର ମୁମ୍ବାଇରେ ପହଞ୍ଚିଛନ୍ତି । ଏହି ବୈଠକରେ ଶିବସେନାର ଅନ୍ୟତମ ବରିଷ୍ଠ ନେତା ତଥା ଦଳୀୟ ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଓ୍ବତ ଓ ଅଭିନେତା ପ୍ରକାଶ ରାଜ ମଧ୍ୟ ସାମିଲ ରହିଥିବା ସୂଚନା ମିଳିଛି । ଜାତୀୟ ସ୍ତରରେ ବିଜେପିକୁ ମାତ ଦେବା ନେଇ ଆଞ୍ଚଳିକ ଦଳମାନଙ୍କ ଭୂମିକା ଓ ଏକତ୍ରୀକରଣ ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା ହୋଇଛି ।
ଉଦ୍ଧବଙ୍କ ସହ ଆଲୋଚନା ପରେ କେସିଆର ମଧ୍ୟ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶରଦଙ୍କ ଏନସିପି ମଧ୍ୟ ମହାବିକାଶ ଅଗାଡି ମେଣ୍ଟରେ ଶିବସେନା ଓ କଂଗ୍ରେସର ସହଯୋଗୀ ଭାବେ ରହିଛି । ତେବେ ଗତ କିଛି ଦିନ ଧରି କେନ୍ଦ୍ରରେ ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଖୋଲା ବିରୋଧ କରି ଚର୍ଚ୍ଚାରେ ରହିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଖୋଲା ସମର୍ଥନ ଘୋଷଣା କରିସାରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତେବେ ଆଜି ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ୍ଷ ଆଲୋଚନା ବିଜେପି ବିରୋଧୀ ମିଳିତ ମଞ୍ଚ ଗଠନରେ କଣ ଭୂମିକା ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।
PTI