ଚେନ୍ନାଇ: ଶ୍ରୀଲଙ୍କା ଆର୍ଥିକ ସଙ୍କଟକୁ ନେଇ ଭାରତରେ ଆଲର୍ଟ । ଶ୍ରୀଲଙ୍କା ଆର୍ଥିକ ସଙ୍କଟକୁ ନଜର ରଖି ତାମିଲନାଡୁ ସରକାରଙ୍କ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ତେବେ ତାମିଲନାଡୁର ରାମେଶ୍ବରମ ଏବଂ ମଣ୍ଡପମରୁ ୧୬ ଜଣ ଶ୍ରୀଲଙ୍କା ନାଗରିକ ମିଳିବା ପରେ ଏହି ଆଲର୍ଟ ଜାରି କରିଛନ୍ତି ତାମିଲନାଡୁ ସରକାର ।
ସେହିପରି ଖାସ୍ କରି ତାମିଲନାଡୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହି ଆଲର୍ଟ ଜାରି କରିଛନ୍ତି ତାମିଲନାଡୁ ସରକାର । ତେବେ ଶ୍ରୀଲଙ୍କାରେ ଦେଖା ଯାଇଥିବା ଆର୍ଥିକ ସଙ୍କଟ କାରଣରୁ ବହୁ ସଂଖ୍ୟାରେ ଶ୍ରୀଲଙ୍କାରୁ ଭାରତକୁ ଶରଣାର୍ଥୀ ଆସିବାର ସମ୍ଭାବନା ଦୃଷ୍ଟିରୁ ଏହି ଆଲର୍ଟ ଜାରି ହୋଇଛି । ମାତ୍ର ଶରଣାର୍ଥୀ ଆଗମନକୁ ଓ ଦେଶର ସୁରକ୍ଷା ନେଇ ତାମିଲନାଡୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୁଗ୍ଧ, ଚାଉଳ ଏବଂ ଇନ୍ଧନର ମୂଲ୍ୟ ମଧ୍ୟ ବୃଦ୍ଧି ହେତୁ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏପଟେ ସାଧାରଣ ଲୋକେ ଜରୁରୀ ଜିନିଷ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବାକୁ ପଡୁଥିବା ବେଳେ ଟଙ୍କା ନଥିବା ସାଧାରଣ ଲୋକେ ଖାଦ୍ୟ ପାଇବାରୁ ବଞ୍ଚିତ ହେବାର ଖବର ମଧ୍ୟ ଆସୁଛି । ତେବେ ମଙ୍ଗଳବାର ରାମେଶ୍ବରମରୁ ଉଦ୍ଧାର କରାଯାଇଥିବା ଶ୍ରୀଲଙ୍କା ୩ଜଣ ନାଗରିକଙ୍କ ସହ ୨ଜଣ ଶିଶୁଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିଲା ।
ହେଲେ ପରବର୍ତ୍ତୀ ସମୟରେ ଆଉ ଜଣେ ୧୦ ଜଣ ଶ୍ରୀଲଙ୍କାନ ନାଗରିକ ଆସିବା ପରେ ସେମାନଙ୍କୁ ମଣ୍ଡପମ୍ କ୍ୟମ୍ପକୁ ପୋଲିସ ସ୍ତାନନ୍ତର କରିଥିଲା । ଏମାନଙ୍କୁ ଶରଣାର୍ଥୀ ଭାବରେ ବିଚାର କରିବାକୁ ତାମିଲନାଡୁ ସରକାରଙ୍କ ନିର୍ଦ୍ଦେଶନାମା ଯୋଗୁଁ ଏହା ହୋଇଥିଲା ବୋଲି ଜଣାପଡିଛି । ଏପଟେ ତାମିଲନାଡୁ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ୧୯୮୦ ଏବଂ ଏହାପରେ ତଥା ୨୦୧୦ ଶ୍ରୀଲଙ୍କା ଗୃହଯୁଦ୍ଧ ବେଳେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରୀଲଙ୍କା ନାଗରିକ ତାମିଲନାଡୁ ପଳେଇ ଆସିଥିଲେ ।
ଏତଦ୍ବ୍ୟତିତ୍ ଆସିଥିବା ଏହି ୧ ଲକ୍ଷ ଶରଣାର୍ଥୀଙ୍କୁ ରାଜ୍ୟରେ ଥଇଥାନ ଶିବିରରେ ଥଇଥାନ କରାଯାଇଛି । ଏହସହିତ ମିଳିତ ଜାତିସଙ୍ଘ ଚାର୍ଟର(United Nations) ୧୯୫୧ ଏକ ଦେଶରେ ଅର୍ଥନୈତିକ ସଙ୍କଟକୁ ନଜରକୁ ରଖି ଏମାନଙ୍କୁ ଶରଣାର୍ଥୀ ମାନ୍ୟତା ପ୍ରଦାନ କରିବାକୁ ବିଚାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଏହି ଘଟଣା ସମ୍ପର୍କରେ ତାମିଲନାଡୁ ସରକାର କେନ୍ଦ୍ର ସରକାରଙ୍କ ଜଣାଇବା ସହ ଶରଣାର୍ଥୀ ସ୍ଥିତି ବିଷୟରେ ଅବଗତ କରିଛନ୍ତି ।
ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତାମିଲନାଡୁ ବିଧାନସଭାରେ ଉଦ୍ବୋଧନ ଦେବା ସହ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ଶରଣାର୍ଥୀ ପ୍ରସଙ୍ଗରେ ପଦକ୍ଷେପ ନେବୁ । ଏଥିସହ ଶୁକ୍ରବାର ସକାଳେ କିଛି ଶ୍ରୀଲଙ୍କା ନାଗରିକ ରାମେଶ୍ବରମ ପାଖ ସମୁଦ୍ରରେ ଠାବ ହୋଇଥିଲେ । ମାତ୍ର ପୋଲିସର ହସ୍ତକ୍ଷେପ ପରେ ସେମାନେ ଶ୍ରୀଲଙ୍କା ଫେରିଯାଇଛନ୍ତି ।