ଗାନ୍ଧୀନଗର: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । ବିବାହିତା ପ୍ରେମିକାଠାରୁ ୨.୫ ଲକ୍ଷ ଧାର ନେଇଥିଲା ବିବାହିତ ପ୍ରେମିକ । ତେବେ ବାରମ୍ବାର ଟଙ୍କା ଫେରସ୍ତ ମାଗିବା ସହ ଫୋନ ନମ୍ବର ବ୍ଲକ କରିଦେବାରୁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ଗୁଜୁରାଟ ଭଦୋଦରାର ପୋର GIDC (Gujarat Industrial Development Corporation) ନିକଟରେ ।
ସୂଚନା ଅନୁସାରେ ଗୁଜୁରାଟ ଭଦୋଦରାର ପୋର GIDCରେ ରହୁଥିବା ୩୫ ବର୍ଷୀୟା ମିତ୍ତଲ ରାଜୁଭାଇ ବାଭାଲିଆ ୨୨ ଜାନୁଆରୀ ସନ୍ଧ୍ୟାରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ମିତ୍ତଲଙ୍କ ସ୍ବାମୀ ଶେଷରେ ବାରଣା ଥାନାରେ ପତ୍ନୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅନୁସନ୍ଧାନ ବେଳେ ଜଣାପଡିଛି ଯେ ନିକଟ କମ୍ପାନୀରେ କାମ କରୁଥିବା ଇସ୍ମାଇଲ ନାମକ ଜଣେ ଯୁବକଙ୍କ ସହ ମିତ୍ତଲଙ୍କ ୧୦ ବର୍ଷ ପୂର୍ବରୁ ସମ୍ପର୍କ ଥିଲା । ଏନେଇ ପୋଲିସ ଇସ୍ମାଇଲକୁ ପଚରାଉଚରା କରିଥିଲା । ଏହି ସମୟରେ ଇସ୍ମାଇଲ ମିତ୍ତଲଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ।
ଇସ୍ମାଇଲ ପୋଲିସକୁ ଦେଇଥିବା ବୟାନ ଅନୁସାରେ ସେ ମିତ୍ତଲଙ୍କୁ ୨୨ ଜାନୁଆରୀ ସନ୍ଧ୍ୟାରେ ଫୋନ କରିଥିଲା । ସେଠାରୁ ତାଙ୍କୁ ବାଇକରେ ନେଇ ଜିଆଇଡିସି ନିକଟ ଏକ ଖୋଲା ସ୍ଥାନକୁ ନେଇଯାଇଥିଲା । ସେଠାରେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଆଖୁ ଖତରେ ପୋତି ଦେଇଥିଲା । ମିତ୍ତଲ ତାର ମୋବାଇଲ ନମ୍ବର ବ୍ଲକ କରିଦେବା ସହ ଦେଇଥିବା ଟଙ୍କା ବାରମ୍ବାର ଫେରାଇବାକୁ ବାଧ୍ୟ କରିଥିଲା । ସେଥିପାଇଁ ସେ ତାକୁ ହତ୍ୟା କରିଥିବା ସ୍ବୀକାର କରିଛି । ଏହାପରେ ପୋଲିସ ଇସ୍ମାଇଲକୁ ସାଙ୍ଗରେ ନେଇ ଘଟଣାସ୍ଥଳରୁ ମୃତଦେହ ଜବତ କରିଛି । ଏହାପରେ ଇସ୍ମାଇଲକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।
ପ୍ରକାଶ ଥାଉକି, ଇସ୍ମାଇଲ ବିବାହିତ ହୋଇଥିବା ବେଳେ ତାର ୧୬ ବର୍ଷର ଝିଅ ଓ ୧୨ ବର୍ଷର ଗୋଟିଏ ପୁଅ ରହିଛନ୍ତି । ସେହିପରି ମୃତ ମିତ୍ତଲଙ୍କର ମଧ୍ୟ ୧୩ ଓ ୧୦ ବର୍ଷ ବୟସର ଦୁଇଟି ପୁଅ ଅଛନ୍ତି । ଚାକିରି ଛାଡ଼ିବା ପରେ ଇସ୍ମାଇଲ ଏକ ଫାର୍ମା କମ୍ପାନୀରେ କାର୍ଯ୍ୟ କରୁଥିଲା । ମିତ୍ତଲଙ୍କ ଘରକୁ ଇସ୍ମାଇଲ ଯିବା ଆସିବା କରେ । ତାଙ୍କ ସ୍ବାମୀ ମଧ୍ୟ ଏହି ଦୁଇଜଣଙ୍କ ସମ୍ପର୍କ ବିଷୟରେ ଅବଗତ ଥିଲେ । ମିତ୍ତଲ ପ୍ରମିକ ଇସ୍ମାଇଲକୁ ୨.୫ ଲକ୍ଷ ଟଙ୍କା ଉଦ୍ଧାର ଦେଇଥିଲେ । ଏହାକୁ ଫେରାଇବାକୁ କହିବାରୁ ଇସ୍ମାଇଲ ତାଙ୍କୁ ହତ୍ୟା କରିଥିବା ପ୍ରକାଶ କରିଛି ।
ବ୍ୟୁରୋ ରିପୋର୍ଚ, ଇଟିଭି ଭାରତ