ଗାନ୍ଧୀନଗର: ଗୁଜୁରାଟ ୨୦୦୮ ଅହମ୍ମଦାବାଦ ବିସ୍ଫୋରଣ ଘଟଣା । ବଡ଼ ରାୟ ଶୁଣାଇଛନ୍ତି କୋର୍ଟ । ଘଟଣାରେ ସ୍ବତନ୍ତ୍ର କୋର୍ଟ ୪୯ ଜଣ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବେଳେ ୧୧ ଜଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ଏହାସହ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଘୋଷଣା କରିଛନ୍ତି ।
ଆଇପିସି(IPC) ଧାରା ୩୦୨ ଅନୁସାରେ ସ୍ବତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । କୋର୍ଟର ସ୍ବତନ୍ତ୍ର ବିଚାରପତି ଏ. ଆର ପଟେଲ ଶୁଣାଣି ବେଳେ ମୃତକ ପରିବାରକୁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ଗତ ଫେବୃଆରୀ ୮ ତାରିଖ ଦିନ ମୋଟ ୭୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏମାନଙ୍କୁ IPC ଧାରାର ଅନୁଯାୟୀ ହତ୍ୟା, ଦେଶଦ୍ରୋହ, ଅବୈଧ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ବିସ୍ଫୋରକ ପଦାର୍ଥ ଅଧିନିୟମ ଅନୁଯାୟୀ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମଧ୍ୟ ଆର୍ମସ୍ ଆକ୍ଟ ଅନୁଯାୟୀ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତ 2008 ଜୁଲାଇ 26 ତାରିଖରେ ଅହମ୍ମଦାବାଦରେ 22ଟି ବୋମା ଫିଙ୍ଗାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସିଭିଲ ହସ୍ପିଟାଲ୍, ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ଦ୍ବାରା ପରିଚାଳିତ ଏଲଜି ହସ୍ପିଟାଲ, ବସ, ପାର୍କିଂ ସାଇକେଲ, କାର ଏବଂ ଅନ୍ୟାନ୍ୟ ସ୍ଥାନରେ 56 ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପ୍ରାୟ 200 ଜଣ ଆହତ ହୋଇଥିଲେ ।
@ANI