ନୂଆଦିଲ୍ଲୀ: ସାମ୍ବାଦିକ ତଥା ପତ୍ରକାରଙ୍କୁ ନେଇ ଚଳିତ ବର୍ଷ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ତଥ୍ୟ ଅନୁଯାୟୀ ବର୍ଷ 2020ରେ ମେକ୍ସିକୋ ଏବଂ ଆଫଗାନୀସ୍ଥାନର ଫିଲିପାଇନ୍ସରେ ସବୁଠୁ ଅଧିକ ପତ୍ରକାରଙ୍କ ହତ୍ୟା କରାଯାଇଛି । ନ୍ୟୁୟର୍କ ସ୍ଥିତ ପତ୍ରକାର ରକ୍ଷା ସମିତି(ସିପିଜେ) ଏହି ତଥ୍ୟ ଦେଇଛି ।
ସୂଚନା ଅନୁଯାୟୀ ଚଳିତ ବର୍ଷ ଡିସେମ୍ବର 15 ସୁଦ୍ଧା ବିଶ୍ବର 30 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଗତବର୍ଷ ତୁଳନାରେ ଏବର୍ଷ ପତ୍ରକାରଙ୍କ ହତ୍ୟାର ସଂଖ୍ୟା ବୃଦ୍ଧି ପାଇଛି । ତେବେ ଗତବର୍ଷ 26 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇ ଥିବାବେଳେ ଚଳିତ ବର୍ଷ ଏହାର ସଂଖ୍ୟା 4କୁ ବୃଦ୍ଧିପାଇ 30ରେ ପହଞ୍ଚିଛି । ସେହିପରି ଏଥର 21 ଜଣ ସାମ୍ବାଦିକଙ୍କୁ ତାଙ୍କ କାମ କାରଣରୁ ହତ୍ୟା କରାଯାଇଥିବା ତଥ୍ୟ କହୁଛି ।
ତେବେ ସିପିଜେର ତଥ୍ୟ କହୁଛି ମେକ୍ସିକୋରେ 2020 ମସିହାରେ 4 ଜଣ ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରାଯାଇ ଥିବାବେଳେ 5 ଜଣ ସାମ୍ବାଦିକଙ୍କୁ ଘଟଣାସ୍ଥଳରେ ଫଟୋ ଉଠାଇବା ସମୟରେ ଗୁଳିକରି ହତ୍ୟା କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ପଶ୍ଚିମ ଗୋଲାର୍ଦ୍ଧରେ ସାମ୍ବାଦିକମାନଙ୍କ ପାଇଁ ମେକ୍ସିକୋ ସବୁଠାରୁ ବିପଜ୍ଜନକ ଦେଶ । ଏଠାରେ ସାମ୍ବାଦିକମାନେ ଅପରାଧୀ, ନିଶା କାରବାରକାରୀ ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ ତନ୍ତ୍ର ମଧ୍ୟରେ କାର୍ଯ୍ୟ କରନ୍ତି । ସେହିପରି ଆଫଗାନିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଅତି କମରେ 4 ଜଣ ସାମ୍ବାଦିକଙ୍କୁ ସେମାନଙ୍କ କାର୍ଯ୍ୟପାଇଁ ହତ୍ୟା କରାଯାଇ ଥିବାବେଳେ ଫିଲିପାଇନ୍ସରେ 3 ଜଣଙ୍କୁ ହତ୍ୟା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ