ଗୌହାଟୀ: ଉତ୍ତର ପୂର୍ବ ରାଜ୍ୟଗୁଡିକରେ ଉଗ୍ରବାଦ ଏକ ପ୍ରମୁଖ ସମସ୍ୟା ହୋଇ ରହିଥିବା ବେଳେ ଉଗ୍ରବାଦ ଦମନ ପାଇଁ ବ୍ୟାପକ ସାମରିକ ଅଭିଯାନ ମଧ୍ୟ ଜାରି ରହିଛି । ତେବେ ଆଜି ଆସାମ ପୋଲିସକୁ ଆଉ ଏକ ବଡ ସଫଳତା ମିଳିଛି । ଏକକାଳନୀ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଉଗ୍ରବାଦୀ ସଂଗଠନ Dimasa National Liberation Army (DNLA)ର ୫୨ ଜଣ ଉଗ୍ରବାଦୀ । ଏମାନେ ଆଜି ଆସାମର ଦିମା ହାସାଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଦ୍ବାରା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏମାନଙ୍କୁ ସ୍ବାଗତ କରାଯାଇଥିଲା ।
ଦିମା ହାସାଉ ଜିଲ୍ଲାର ପୋଲିସ ଅଧୀକ୍ଷକ ପୁଷ୍ପରାଜ ସିଂ ସୂଚନା ଦେଇଛନ୍ତି, ଆତ୍ମସମର୍ପଣ କରିଥିବା ୫୨ ଉଗ୍ରବାଦୀଙ୍କ ମଧ୍ୟରେ ୪ଜଣ କ୍ୟାଡର ମହିଳା ଉଗ୍ରବାଦୀ ମଧ୍ୟ ରହିଛନ୍ତି । ସେମାନେ ପୋଲିସକୁ ଆକ୍ରମଣ କରିବା ଓ ହିଂସା ଭିଆଇବା ପାଇଁ ବ୍ୟବହୃତ କରୁଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ପୋଲିସ ନିକଟରେ ଦାଖଲ କରିଛନ୍ତି । ଅସ୍ତ୍ରଶସ୍ତ୍ର ମଧ୍ୟରେ ୨୨ ରାଇଫଲ, ଗୋଟିଏ କାର୍ବାଇନ, ଏକାଧିକ ସେମି ରାଇଫଲ ଓ ବିପୁଳ ପରିମାଣର ଜୀବନ୍ତ ଗୁଳିଗୋଳା ମଧ୍ୟ ରହିଛି ।
ସେମାନଙ୍କ ନିଷ୍ପତ୍ତିକୁ ସ୍ବାଗତ କରାଯିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବାକୁ ସମସ୍ତ ପ୍ରୟାସ କରାଯିବା ନେଇ ସ୍ଥାନୀୟ ଏସପି କହିଛନ୍ତି । ତେବେ ଏପରି କାର୍ଯ୍ୟକ୍ରମ ଫଳରେ ଉଗ୍ରବାଦୀ ସଂଗଠନ ମାନେ ମୁଖ୍ୟସ୍ରୋତକୁ ଫରିବାରେ ସଫଳ ହୋଇପାରିବା ସହ ଉତ୍ତରପୂର୍ବରେ ଶାନ୍ତି ଫେରିବା ନେଇ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ