ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଗିରଫ ସାମ୍ବାଦିକ ମହମ୍ମଦ ଜୁବେରଙ୍କ ଏକ ପୂର୍ବ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଉତ୍ତର ପ୍ରଦେଶର ସୀତାପୁର ପୋଲିସ ଏକ ଟ୍ବିଟ୍ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ପରେ ଏହି ମାମଲା ରଦ୍ଦ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିବା ଆଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଜୁବେର । ସର୍ବୋଚ୍ଚ କୋର୍ଟ ଆଜି (ମଙ୍ଗଳବାର) ଏହି ମାମଲାର ଶୁଣାଣି କରିବେ । ଅଭିଯୋଗ ଅନୁସାରେ, ଜୁବେର 3 ତିନିଜଣ ହିନ୍ଦୁ ସାଧୁଙ୍କୁ 'ଘୃଣାର ପ୍ରସାରକ' ବୋଲି ଦର୍ଶାଇ ଟ୍ବିଟ କରିଥିଲେ । ଏପରି ଟ୍ବିଟ ଫଳରେ ଧାର୍ମିକ ସଦଭାବନା ନଷ୍ଟ ହୋଇଥିବା ନେଇ ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଉତ୍ତର ପ୍ରଦେଶ ସୀତାପୁର ପୋଲିସ ।
ଏହି ମାମଲାକୁ ଖାରଜ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଜୁବେର । ଉଚ୍ଚ ନ୍ୟାୟାଳୟ କିନ୍ତୁ ଉତ୍ତର ପ୍ରଦେଶ ପୋଲିସ ଦ୍ବାରା କରାଯାଇଥିବା ମାମଲା ଖାରଜ କରିବା ପାଇଁ ମନା କରିଥିଲେ । ପରେ ଏହି ମାମଲା ନେଇ ଜୁବେର ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲେ । ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏସ. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କରିବେ । ଗତ ସପ୍ତାହରେ ମଧ୍ୟ ସର୍ବୋଚ୍ଚ କୋର୍ଟରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ ଜୁବେର । ସୀତାପୁର ପୋଲିସ ତାଙ୍କ ବିରୋଧରେ ପଞ୍ଜୀକୃତ କରିଥିବା ମାମଲାରେ ପାଞ୍ଚ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।
ସର୍ବୋଚ୍ଚ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶ କେବଳ ସୀତାପୁରର ମାମଲାରେ ସୀମିତ । ଜୁବେରଙ୍କ ବିରୋଧରେ ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ମାମଲା ସହିତ ଏହି ଅନ୍ତରୀଣ ସୁରକ୍ଷାର କୌଣସି ସମ୍ପର୍କ ନାହିଁ । ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଧି ହେବାରେ ଲାଗିଛନ୍ତି ଫ୍ୟାକ୍ଟ-ଯାଞ୍ଚ ୱେବସାଇଟ୍ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ତଥା ଗିରଫ ହୋଇ ଜେଲରେ ଥିବା ସାମ୍ବାଦିକ ମହମ୍ମଦ ଜୁବେର । ଏକ ଘରୋଇ ଟିଭି ଚାନେଲ ନାଁରେ ଆପତ୍ତିଜନକ ଟ୍ବିଟ କରିବା ଅଭିଯୋଗରେ ମଧ୍ୟ ସମନ ଜାରି କରିଛି ଉତ୍ତର ପ୍ରଦେଶ ଲକ୍ଷୀମପୁର ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ