ନୂଆଦିଲ୍ଲୀ: ଚାନ୍ଦା ଆଦାୟ ଏବଂ ଦୁର୍ନୀତି ଅଭିଯୋଗରେ ତଦନ୍ତ ପରିସରରେ ଥିବା ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି ସର୍ବୋଚ୍ଚ କୋର୍ଟରେ ଜଷ୍ଟିସ ଏସ.କେ କୌଲ ଏବଂ ଏମ.ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣିରେ ମହାରାଷ୍ଟ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଖଣ୍ଡପୀଠ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ । ଅନାବଶ୍ୟକ ଭାବେ ପୋଲିସ ତାର କ୍ଷମତାରେ ଅପବ୍ୟବହାର କରି ଲୋକଙ୍କ ବିଶ୍ୱାସକୁ ପ୍ରଭାବିତ କରିବାର ଉଦାହରଣ ରହିଛି । ଆଇନର ପ୍ରକ୍ରିୟା ଏକ ଢଙ୍ଗରେ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି ।ସିଂଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ୍ ଦ୍ବାରା ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରାଯିବ କି ନାହିଁ ତାହା ଉପରେ ପରବର୍ତ୍ତୀ ସମୟରେ କୋର୍ଟ ବିଚାର କରିବେ । କୋର୍ଟ ଦ୍ବାରା ଏହା ସ୍ଥିର ନହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ଏହି ମାମଲାର ତଦନ୍ତ ଠାରୁ ଦୂରେଇ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପରମବୀର ସିଂଙ୍କ ବିରୋଧରେ ଲାଗିଥିବା ସମସ୍ତ ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥାକୁ ହସ୍ତାନ୍ତର କରାଯାଇ ପାରିବନାହିଁ ବୋଲି ମଧ୍ୟ ପୂର୍ବରୁ ମହାରାଷ୍ଟ୍ର ସରକାର କହି ଆସିଛନ୍ତି ।
୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ପରମବୀର ସିଂ ମୁମ୍ବାଇର କମିଶନର ପଦରେ ଥିବା ବେଳେ ନିଜ କ୍ଷମତାର ଦୁରୂପଯୋଗ କରି ଚାନ୍ଦା ମାଗିବା ଓ ଆର୍ଥିକ ଠକେଇ, ଭ୍ରଷ୍ଟାଚାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ପରେ ତତ୍କାଳୀନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିବା ପାଇଁ ବିବାଦରେ ରହିଥିଲେ ପରମବୀର । ବିବାଦ ପରେ ତାଙ୍କୁ ମହାରାଷ୍ଟ୍ର ପୋଲିସର ହୋମଗାର୍ଡ ବିଭାଗ ମୁଖ୍ୟ ଭାବେ ବଦଳି କରାଯାଇଥିଲା ।
ପରେ ସେ ତାଙ୍କ ବିରୋଧରେ ଜାରି ରହିଥିବା ତଦନ୍ତରେ ସହଯୋଗ ନକରିବା କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯିବା ସହ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ ମୁମ୍ବାଇର ଏକ ମାଜିଷ୍ଟ୍ରେଟ କୋର୍ଟ । କିଛି ଦିନର ବ୍ୟବଧାନ ପରେ ପରମବୀର ସିଂ ଆତ୍ମସମର୍ପଣ କରିବା ସହ ତଦନ୍ତରେ ସହଯୋଗ କରିଥିଲେ । ଆଜି ସର୍ବୋଚ୍ଚ କୋର୍ଟ ଏହି ମାମଲାର ଶୁଣାଣି କରି ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ତଦନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ